ନୂଆଦିଲ୍ଲୀ: ଏବେ ଭାରତ ଆମେରିକା ଭିତରେ ସମ୍ପର୍କ ସେତେଟା ଭଲ ନାଇ । ଟ୍ରମ୍ପ ପ୍ରଶାସନ ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ ଏବେ ପୁଣିଥରେ ଟାରିଫ ବମ ପକାଇବାକୁ ଇସାରା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ ଉପରେ ନୂତନ ଶୁଳ୍କ ଲାଗୁ କରିବା ବିଷୟରେ ବିଚାର କରିପାରନ୍ତି। ଟ୍ରମ୍ପ ହ୍ୱାଇଟ୍ ହାଉସରେ ଅନୁଷ୍ଠିତ ଏକ ବୈଠକରେ ଏହି ବିବୃତ୍ତି ଦେଇଥିଲେ, ଯେଉଁଠାରେ ଚାଷୀମାନେ ଆମେରିକା ବଜାରରେ ଶସ୍ତା ବିଦେଶୀ ଉତ୍ପାଦର ପ୍ରଭାବ ବିଷୟରେ ଅଭିଯୋଗ କରିଥିଲେ। ଏହି ବୈଠକ ଆମେରିକୀୟ ଚାଷୀଙ୍କ ପାଇଁ ଘୋଷଣା କରାଯାଇଥିବା ୧୨ ବିଲିୟନ ଡଲାରର ରିଲିଫ୍ ପ୍ୟାକେଜ୍ ସମୟରେ ଅନୁଷ୍ଠିତ ହୋଇଥିଲା।

କୁହାଯାଉଛି ଯେ, ଆମେରିକାର କୃଷକମାନେ ଟ୍ରମ୍ପଙ୍କ ନିକଟରେ ଅଭିଯୋଗ କରିଥିଲେ । ଶସ୍ତା ବିଦେଶୀ ଚାଉଳ ଦ୍ୱାରା ସେମାନେ କ୍ଷତିଗ୍ରସ୍ତ ହେଉଥିବା କୃଷକ ଅଭିଯୋଗ କରିଥିଲେ । ଯାହା ପରେ ଟ୍ରମ୍ପ ଆମଦାନୀ ହେଉଥିବା କୃଷିଜାତ ସାମଗ୍ରୀ ଉପରେ ଟାରିଫ୍ ବୃଦ୍ଧି ନେଇ କହିଛନ୍ତି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଟାରିଫ୍ ଦ୍ୱାରା ପ୍ରଭାବିତ ହୋଇଥିବା ଆମେରିକୀୟ କୃଷକଙ୍କୁ୧୨ ମିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ ନେଇ ହ୍ୱାଇଟ ହାଉସର ଏକ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଟ୍ରମ୍ପ୍ ଭାରତ ସହ କାନାଡା ଉପରେ ମଧ୍ୟ ନୂଆ ଟାରିଫ ଲଗାଇବାକୁ ସଙ୍କେତ ଦେଇଛନ୍ତି । କିଛି ଦେଶ ଆମେରିକା ବଜାରରେ ଶସ୍ତା ଚାଉଳ ବିକ୍ରି କରୁଥିବା ଅଭିଯୋଗ ଉପରେ ବିଚାର ହେବ ବୋଲି ଟ୍ରମ୍ପ୍ କହିଛନ୍ତି । ବୈଠକରେ ଦେଶର କୃଷକ ଏବଂ କୃଷି ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । କୃଷକଙ୍କ କିଛି ପ୍ରତିନିଧି ମଣ୍ଡଳ କହିଛନ୍ତି ଯେ, ଆମେରିକା ବଜାର ଅନ୍ୟ ଦେଶର ଚାଉଳ ପାଇଁ ପ୍ରଭାବିତ ହେଉଛି । ବିଦେଶୀ ଚାଉଳ ଘରୋଇ ଉତ୍ପାଦଠୁ ଶସ୍ତାରେ ବିକ୍ରି ହେଉଛି । ଯାହାପରେ ଏମିତି ଶସ୍ତାରେ ବିକ୍ରି କରୁଥିବା ଦେଶ ଧୋକା ଦେଉଛନ୍ତି ବୋଲି ଟ୍ରମ୍ପ୍ ପ୍ରକାଶ କରିଛନ୍ତି ।