ବଣାଇଁ:- ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପ-ଖଣ୍ଡ ହସ୍ପିଟାଲରେ ଗୁରୁତର ଚିକିତ୍ସା ଅବହେଳା। ଜ୍ୱର ବଦଳରେ ୪ ବର୍ଷର ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକସନ୍ ଲେଖିଦେଲେ ଡାକ୍ତର । ଏହି ଘଟଣା ପରେ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ।
ସୂଚନା ଅନୁସାରେ, ଗୁରୁବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ହସ୍ପିଟାଲରେ ଚିନ୍ମୟୀ ଜେନାନାମ୍ନୀ ମହିଳା ତାଙ୍କ ୪ ବର୍ଷର ଶିଶୁ କନ୍ୟାକୁ ଡାକ୍ତରଖାନା ଯାଇଥିଲେ । ସେଠାରେ ଡାକ୍ତର ଲିକୁନ ମହାପାତ୍ର ଇଞ୍ଜେକ୍ସନ ଦେବାପାଇଁ ପ୍ରେସକ୍ରିପସନ ଦେଇଥିଲେ। ଯେତେବେଳେ ଚିନ୍ମୟୀ ହସ୍ପିଟାଲର ଫାର୍ମାସିରେ ପ୍ରେସକ୍ରିପସନ ଦେଖାଇଥିଲେ ଷ୍ଟାଫ ପଚାରିଥିଲେ, ଶିଶୁକୁ କୁକୁର କାମୁଡ଼ିଛି କି?” ଚିନ୍ମୟୀ ତାଙ୍କ କଥାରେ ନାଁ କରିଥିଲେ ତଥାପି ଷ୍ଟାଫ ଜଣକ ଇଞ୍ଜେକସନ ଦେଇ ଦେଲେ । ଡାକ୍ତରଙ୍କୁ ଏ ବିଷୟରେ ପଚାରିବାରୁ ସେ ପ୍ରେସକ୍ରିପସନ ଚିରି ଦେଇ ଅନ୍ୟ ଏକ ପ୍ରେସକ୍ରିପସନ ଦେଇଥିଲେ ଏବଂ କହିଥିଲେ ଏହା ଆମର ଭୁଲ। କିନ୍ତୁ ଏହି ଇଞ୍ଜେକସନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ। ଆପଣ ସମ୍ପୂର୍ଣ୍ଣ କୋର୍ସ ଜାରି ରଖିବାକୁ କହିଲେ।
ଘଟଣା ପରେ ହସ୍ପିଟାଲ ଉତ୍ତେଜନା ସୃଷ୍ଟି ହୋଇଥିଲା, ଯାହା ଫଳରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଶିଶୁଟିକୁ ଜ୍ୱର ହେବାରୁ ଡାକ୍ତରଖାନାକୁ ଅଣାଯାଇଥିଲା, କିନ୍ତୁ ଡାକ୍ତର ଏକ ଆଣ୍ଟି-ରାବିଜ୍ ଇଞ୍ଜେକ୍ସନ ଲେଖିଥିବା ଅଭିଯୋଗ ହୋଇଛି। ଆଉ ଝିଅର ଜ୍ୱର କମିବାର ନାଁ ନେଉନାହିଁ। ଏହି ଘଟଣା ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ପରିବାର ଲୋକେ ତଦନ୍ତ ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋରଦାର ଦାବି କରିଛନ୍ତି ।