ଭୁବନେଶ୍ଵର: ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି ।
ସୂଚନାଯୋଗ୍ୟ, ମୁକ୍ତି ମଣ୍ଡପ ପଣ୍ଡିତ ସଭା କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି,” ଆଗାମୀ ସୋମବାର ଅର୍ଥାତ୍ ୨୦ ତାରିଖ ଅପରାହ୍ନ ୩ଟା ୨୩ ମିନିଟ୍ ପରେ ଅମାବାସ୍ୟା ପ୍ରବେଶ କରୁଛି । ଏହା ପରଦିନ ଅର୍ଥାତ ୨୧ ତାରିଖ (ମଙ୍ଗଳବାର) ଅପରାହ୍ନ ୫ଟା ୧୫ ମିନିଟ ପର୍ଯ୍ୟନ୍ତ ରହିବ। ତେବେ ପୟାଶ୍ରାଦ୍ଧ ରାତ୍ରୀକାଳୀନ ପର୍ବ ହୋଇଥିବାରୁ ସୋମବାର ସନ୍ଧ୍ୟା ବେଳେ ଅମାବାସ୍ୟା ପ୍ରବେଶ କରୁଥିବାରୁ ସନ୍ଧ୍ୟାରେ ପୟାଶ୍ରାଦ୍ଧ ଏବଂ ଦୀପାବଳି ପାଳନ କରାଯିବ । ଆସନ୍ତା ୨୧ ତାରିଖରେ ଦୀପାବଳି ସହିତ ପୟାଶ୍ରାଦ୍ଧ ପାଳନ ନେଇ କେତେକ ପଞ୍ଜିକା ଏବଂ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ଲୋକମାନେ ବିଭ୍ରାନ୍ତ ନ ହୋଇ ଆସନ୍ତା ୨୦ ତାରିଖ ସୋମବାର ସନ୍ଧ୍ୟାରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଏବଂ ଦୀପାବଳି ପାଳନ କରିବାକୁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭାରେ ନିଷ୍ପତ୍ତି ହୋଇଛି ।”