ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ: ଅପରାହ୍ନ ୫ଟାରେ ବୈଠକ

ଭୁବନେଶ୍ବର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପ୍ରସଙ୍ଗ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆଇନମନ୍ତ୍ରୀଙ୍କ ଚିଠି ପରେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ। ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନ ସହ ମହାରଣା, ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉକରଣ ଓ ତିନି ବାଡର ବାଡଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ନବକଳେବର ସମୟରେ ବଳକା ଥିବା ଦାରୁ କାଠ ସମ୍ପର୍କରେ ହେବ ଆଲୋଚନା।

ସୂଚନା ଅନୁଯାୟୀ, ଗତକାଲି ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦରେ ମୁହଁ ଖୋଲିଥିଲେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର। ସେ କହିଥିଲେ, ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ । ଅନ୍ୟ ସ୍ଥାନରେ ଜଗନ୍ନାଥ ମନ୍ଦିର ହୋଇପାରିବ । କିନ୍ତୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ନାଁ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି । ଏହା ସହିତ ସେ ସ୍ପଷ୍ଟ କରିଛନ୍ତି, କେବଳ ପୁରୀରେ ଦାରୁବ୍ରହ୍ମଙ୍କର ବ୍ରହ୍ମ ସ୍ଥାପନା ହୁଏ । ଅନ୍ୟ କୌଣସି ସ୍ଥାନରେ ହୁଏ ନାହିଁ । ମହାପ୍ରଭୁଙ୍କ ରୀତି ନୀତିରେ କୌଣସି ତ୍ରୁଟି ବିଚ୍ୟୁତି ହେବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ । ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି । ଏହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପୁରୀର ସେବାୟତଙ୍କ ସମେତ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।