ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି

କେନ୍ଦ୍ରାପଡା:- ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ମହୁ ସମବାୟ ସମିତିରୁ ଖରିଫ୍‌ ଋଣ କରାଇଦେବା ପାଇଁ ଜଣେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡି ବସିଥିଲା । କୃଷି ଋଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ମହୁ ଅଞ୍ଚଳର ଚାଷୀ ବୀରେନ୍ଦ୍ର କୁମାର ନାଥ ଓ ତାଙ୍କ ବାପାଙ୍କ ନାଁରେ କୃଷି ଋଣ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ ଧୀରେନ୍ଦ୍ର । କେନ୍ଦ୍ରାପଡା ଓ କଟକ ଭିଜିଲାନ୍ସ ବିଭାଗର ସାତ ଜଣିଆ ଟିମ୍‌ ଏହି ଚଢାଉ କରିଥିଲେ ।

ଭିଜିଲାନ୍ସ ଖୁଆଡରେ ମହୁ ସମବାୟ ସମିତି ସମ୍ପାଦକ

ଅଭିଯୋଗ ଅନୁଯାୟୀ, ଆଳି ମହୁ ସେବା ସମବାୟ ସମିତିରେ ଦୀର୍ଘଦିନ ଧରି ଏଭଳି ଦୁର୍ନୀତି ହୋଇ ଆସୁଥିବା ବେଳେ ସ୍ଥାନୀୟ ଚାଷୀ ବୀରେନ୍ଦ୍ର କୁମାର ନାଥ ଗତ କିଛି ଦିନ ତଳେ ତାଙ୍କ ନାଁରେ ଓ ତାଙ୍କ ବାପାଙ୍କ ନାଁରେ ୭୫ ହଜାର ଟଙ୍କା ଲେଖାଏଁ କୃଷି ଋଣ କରାଇଦେବା ପାଇଁ ସମବାୟ ସମିତିରେ ଆବେଦନ କରିଥିଲେ । ଏହି କୃଷି ଋଣ କରାଇଦେବା ପାଇଁ ଏହି ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।