ଡେରେଜାଙ୍ଗ ହତ୍ୟା ଘଟଣାର ପର୍ଦାଫାଶ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ସଦର ଥାନା ଡେରେଜାଙ୍ଗ ପ୍ରୋଜେକ୍ଟ ହୁଡାରୁ ମିଳିଥିବା ଜଗନ୍ନାଥ ସେନାପତିଙ୍କ ହତ୍ୟା ଘଟଣାରେ ଅନୁଗୁଳ ସଦର ପୋଲିସକୁ ମିଳିଛି ବଡ ସଫଳତା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବା ପରେ ଏଥିରେ ସମ୍ପୃକ୍ତ ୮ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମୃତ ଜଗନ୍ନାଥ ୨ ଦିନ ପୂର୍ବେ ନିଶାଶକ୍ତ ଅବସ୍ଥାରେ ଗାଁର କିଛି ଲୋକଙ୍କ ଘରେ ପଶିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ଯାହାକୁ ସହ୍ୟ କରି ପାରି ନଥିଲେ କିଛି ଲୋକ । ଜଗନ୍ନାଥକୁ ହତ୍ୟା କରିବାକୁ ଯୋଜନା କରି ୨ ଜଣ ଯୁବକ ଜଗନ୍ନାଥକୁ ଭୋଜି କରିବା ବାହାନାରେ ଘରୁ ଡାକି ନେଇଥିଲେ । ଏହାପରେ ଡେରେଜାଙ୍ଗ ଡ୍ୟାମ ହୁଡାରେ ଜଗନ୍ନାଥକୁ ବାଡି , ଖଣ୍ଡା , ଛୁରି ଏବଂ ଲୁହା ରଡରେ ଆକ୍ରମଣ କରିଥିଲେ ୩ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଅଭିଯୁକ୍ତ । ଆକ୍ରମଣରେ ଘଟଣା ସ୍ଥଳରେ ହିଁ ଜଗନ୍ନାଥର ମୃତ୍ୟୁ ହୋଇଥିଲା । ପୋଲିସ ତଦନ୍ତ ପରେ ସମସ୍ତ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରନ୍ତଲେଇ ଗାଁର ଜିତେନ୍ଦ୍ର ସାହୁ , ସଂଗ୍ରାମ ସାହୁ , ଜିତେନ୍ଦ୍ର ବିଶ୍ଵାଳ , ବିଭୁତି ସାହୁ , ମମତା ସାହୁ , ସୁବାସିନୀ ବେହେରା , ବାସନ୍ତୀ ସାହୁ ଓ ତରଣି ବେହେରା ।