ମାଲକାନଗିରିରେ ଚିନ୍ତା ବଢ଼ାଉଛି ଡେଙ୍ଗୁ

ମାଲକାନଗିରି (ସୂର୍ଯ୍ୟକାନ୍ତ ବେହେରା): ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ଏବେ ଅଣାୟତ୍ତ ହୋଇପଡ଼ିଛି । ଜିଲ୍ଲାରେ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ରହିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨୮୦ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୭ ଜଣ ଡେଙ୍ଗୁ ପିଭିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ମାଲକାନଗିରି ପୌର ପରିଷଦରେ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିତ୍ରକୋଣ୍ଡା ବ୍ଲକରେ ୭, ମାଲକାନଗିରିରେ ୪, କାଲିମେଳାରୁ ଜଣେ, କୋରୁକୋଣ୍ଡାରେ ୨, ମାଥିଲି ବ୍ଲକର ୨, ବାଲିମେଳା ଏନଏସିରେ ଜଣେ ଏବଂ ସୁକମା ଅଞ୍ଚଳର ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ମାଲକାନଗିରି ପୌରପାଳିକାରେ ସଫେଇ କାର୍ୟ୍ୟ ଠିକ ରୂପେ ହେଉନଥିବାରୁ ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମାରେ ପାଣି ଜମି ରହୁଥିବାରୁ ଏଭଳି ପରିସ୍ଥିତି ଉପଜିଛି । ସେହିପରି ବ୍ଲକ ଗୁଡିକରେ ମଧ୍ୟ ସଫା ସୁତୁରା ହେଉନଥିବା କୁହାଯାଇଛି । ତେବେ ଖଇରପୁଟ ଏବଂ ପଡିଆ ବ୍ଲକରେ କୌଣସି ଡେଙ୍ଗୁ ରୋଗୀ ଚିହ୍ଟ ହୋଇନାହାଁନ୍ତି । ଆସନ୍ତାକାଲି ଠାରୁ ଡେଙ୍ଗୁ ସଚେତନତା ରଥ ସହର ପରିକ୍ରମା କରିବା ସହ ଜିଲ୍ଲାରେ ମଧ୍ୟ ବୁଲି ବୁଲି ଲୋକଙ୍କୁ ସଚେତନ କରାଇବ ବୋଲି ସିଡିଏମଓ ଶ୍ରୀ ପ୍ରଫୁଲ୍ଲ ନନ୍ଦ ସୂଚନା ସେଇଛନ୍ତି । ଏଥିସହ ଆଶା ଏବଂ ଅଙ୍ଗନବାଡିଙ୍କ ଦ୍ୱାରା ସମସ୍ତଙ୍କୁ ମଶାରି ପ୍ରଦାନ କରାଯାଇଥିବା ବେଳେ ଡିଡିଟି ସିଞ୍ଚନ ମଧ୍ୟ କରାଯାଉଥିବା ସିଡିଏମଓ କହିଥିଲେ । ତେବେ ଡେଙ୍ଗୁ ରୋକିବାକୁ ହେଲେ ମାଲକାନଗିରି ପୌରପାଳିକା ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ନାଳ ନର୍ଦ୍ଦମା ଗୁଡ଼ିକୁ ସଫାସୁତୁରା ରଖିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।