କାଲିମେଳା/ଆଶିଷ ବାଇନ : ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ଛତିଶଗଡ଼ର କୋଣ୍ଟାରେ କାର୍ଯ୍ୟରତ ୪ ସାମ୍ବାଦିକଙ୍କୁ ମିଥ୍ୟା ମାମଲାରେ ଆନ୍ଧ୍ରପ୍ରଦେଶର ଚିନ୍ତୁର ପୁଲିସ ଗିରଫ କରିବା ମାମଲାରେ ଏକ ବିରୋଧ ପ୍ରଦର୍ଶନ ସଭା ଛତିଶଗଡ଼ର କୋଣ୍ଟାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୪ ରାଜ୍ୟରୁ ସାମ୍ବାଦିକମାନେ ଏକତ୍ରିତ ହୋଇଥିବାବେଳେ ମାଲକାନଗିରି ଜିଲ୍ଲାର ୫୦ରୁ ଉର୍ଦ୍ଧ ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ସେଠାରେ ଆୟୋଜିତ ସଭାରେ ଗିରଫ ହୋଇଥିବା ୪ ସାମ୍ବାଦିକଙ୍କୁ ନିଃସର୍ଭ ମୁକ୍ତ କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା। ପୂର୍ବରୁ ଉଭୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସରକାର ଏହି ଘଟଣାକୁ ନେଇ ଆଲୋଚନା କରି ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଯଥାଶୀଘ୍ର ଯଦି ଏହି ଘଟଣାରେ ପଦକ୍ଷେପ ନିଆ ନ ଯାଏ ଓ ସାମ୍ବାଦିକମାନଙ୍କୁ ନ୍ୟାୟ ନ ମିଳେ ତେବେ ଆଗକୁ ଏହି ବିରୋଧ ପ୍ରଦର୍ଶନ ଉଗ୍ରରୂପ ନେବ ବୋଲି କୁହାଯାଇଛି। ସୂଚନା ଥାଉକି, ଏହି ୪ ସାମ୍ବାଦିକ ନିଶୁ ତ୍ରିବେଦୀ, ମନୀଷ ଠାକୁର, ଧର୍ମେନ୍ଦ୍ର ସିଂ, ବାପି ରାୟ ଏକ ଖବର ସଂଗ୍ରହ ପାଇଁ ଚିନ୍ତୁର ଯାଇଥିବାବେଳେ ସେଠାର ପୁଲିସ ସେମାନଙ୍କ ଗାଡ଼ିରେ ଗଞ୍ଜେଇ ରଖ୍ ମିଥ୍ୟା ମାମଲାରେ ଗିରଫ କରିଥିଲା | ଯାହାର ସିସିଟିଭି ରେକର୍ଡ ରହିଥିବାବେଳେ ଏହି ଘଟଣାରେ କୋଣ୍ଟାର ଜଣେ ପୁଲିସ ଇନ୍ସପେକ୍ଟରଙ୍କୁ ଗିରଫ ମଧ୍ୟ କରାଯାଇଛି। ଏସବୁ ମଧ୍ୟରେ ସରକାର ସାମ୍ବାଦିକମାନଙ୍କୁ ନ୍ୟାୟ ପ୍ରଦାନ ଓ ଜେଲରୁ ବାହାରକୁ ଆଣିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିବାବେଳେ ୪ ରାଜ୍ୟର ସାମ୍ବାଦିକମାନେ ଏହାକୁ ନିନ୍ଦା କରିଥିଲେ । ତୁରନ୍ତ ପଦକ୍ଷେପ ପାଇଁ ଛତିଶଗଡ଼ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଅବସରରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା I