ହୋ ଭାଷାର ସାମ୍ବିଧାନିକ ମାନ୍ୟତା ଦାବିରେ ନୂଆଦିଲ୍ଲୀରେ ଧାରଣା ପ୍ରଦର୍ଶନ

0

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ହୋ ଭାଷାକୁ ଅନ୍ତର୍ଭୁକ୍ତ କରିବା ଦାବିକୁ ସମର୍ଥନ କରି ଆଦିବାସୀ ହୋ ସମାଜ ଯୁବା ମହାସଭା ତରଫରୁ ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ ଏକ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକଙ୍କ ବ୍ୟତୀତ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି, ବିଭିନ୍ନ ସାମାଜିକ ସଂଗଠନର ହଜାର ହଜାର ପ୍ରତିନିଧି ଏଥିରେ ସାମିଲ ହୋଇ ହୋ ଭାଷା ଆନ୍ଦୋଳନକୁ ସମର୍ଥନ କରିଥିଲେ। ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଅଷ୍ଟମ ଅନୁସୂଚୀରେ ହୋ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ | ଆଦିବାସୀ ହୋ ସମାଜ ଯୁବା ମହାସଭାର କେନ୍ଦ୍ରୀୟ ସଭାପତି ଇପିଲ ସାମାଡ଼ଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଯୁବା ମହାସଭାର  ଉପସଭାପତି ସୁରା ବିରୁଲି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଏହି ଧାରଣା ପରେ ହୋ ସମାଜର ମାନ୍ୟତା ଦାବିରେ ସ୍ମାରକପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସ୍ଵରାଷ୍ଟ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ମୁଖ୍ୟ ଆକର୍ଷକ ଥିଲେ l ବିଧାୟକ ଶ୍ରୀ ନାଏକ ହୋ ଭାଷା ମାନ୍ୟତା ନିମନ୍ତେ ସମସ୍ତ ହୋ ଭାଷାଭାଷୀମାନେ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ l ହୋ ଭାଷା ପ୍ରାୟ 50 ଲକ୍ଷ ଆଦିବାସୀଙ୍କର ମାତୃଭାଷା ରୂପେ ପରିଚୟ ଦେଉଛି l ତେଣୁ ହୋ ଭାଷାକୁ କେନ୍ଦ୍ର ସରକାର ମାନ୍ୟତା ନିମନ୍ତେ ପଦକ୍ଷେପ ନେବା ଉଚିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ l

ଏଥିରେ ଝାରଖଣ୍ଡ ପ୍ରଦେଶ ଷଢ଼େଇକଳା-ଖରସୁଆଁ ଜିଲ୍ଲା ପରିଷଦ ସଭାପତି ସୋନାରାମ ବୋଦ୍ରା, ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର କେନ୍ଦ୍ରୀୟ ସଭାପତି ରାମରାଇ ମୁନ୍ଦୁୟା, ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ସିଂ, ଆଦିବାସୀ ହୋ ସମାଜ ଯୁବା ମହାସଭାର କେନ୍ଦ୍ରୀୟ ମହାସଚିବ ଗୋବରସିଂହ ହେମ୍ବ୍ରମ, ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଓଡ଼ିଶା ରାଜ୍ୟ ସଭାପତି ବସନ୍ତ କୁମାର ସିଂ, ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦ୍ରମୋହନ ମୁଣ୍ଡୁରୀ, ମୁଖପାତ୍ର ମନୋରଞ୍ଜନ ତିରିଆ, ଜଗନ୍ନାଥ କେରାଇ, କରୁଣାକର ଜାମୁଦା, ଶିବଶଙ୍କର କାଣ୍ଡିଆଙ୍ଗ, ଡକ୍ଟର ମନୋଜ କୋଡ଼ା, ଶାନ୍ତି ସିଦୁ, ଡକ୍ଟର ବଳଭଦ୍ର ବିରୁଆ, ରୂପେଶ ବିରୁଲି, ଗଙ୍ଗାରାମ ଗାଗରାଇ, ଗିରିଶ ଚନ୍ଦ୍ର ହେମ୍ବ୍ରମ, ଗୋପୀ ଲାଗୁରୀ, ରୂପସିଂହ ଦେବଗାମ,  ସୋନାରାମ ଚାମ୍ପିଆ ପ୍ରମୁଖ ହୋ ଭାଷାର ମାନ୍ୟତା ଦାବିରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ l