ପାଟଣାଗଡ:- ନୂଆଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ନୂଆଖାଇ ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିଥାନ୍ତି । ଏହି କ୍ଷୀରି “ନବାନ୍ନ” ବା “ନବାର୍ଣ୍ଣ” ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ “ନୂଆଖାଇ ବାସି” ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆ ଯାଇଥାଏ । ବାସି ପରଦିନ “ତିଆସି” ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ବିଭିନ୍ନ ଆମିଷ ଖାଦ୍ୟ ଖାଇବା ସହ ଖେଳ ଖେଳି ସମୟ ଅତିବାହିତ କରିଥାନ୍ତି । ତେବେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା ଲାଗି ପାଟଣାଗଡ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦେଲା କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ।