ନୂଆଦିଲ୍ଲୀ: ଦିଲ୍ଲୀରେ ଚାନ୍ତା ବଢାଉଛି ବାୟୁପ୍ରଦୂଷଣ । ଅତ୍ୟନ୍ତ ଖରାପ ସ୍ତିତିରେ ରହିଛି ଦିଲ୍ଲୀର ବାୟୁ ସ୍ତର । ଦୀପାବଳି ଠାରୁ ବାୟୁର ଇଛଓ ରହିଛି ୪୦୦ ଉପରେ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଦୀପାବଳିରେ ବହୁ ମାତ୍ରାରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀ ପ୍ରଦୂଷଣ ମାତ୍ରା ସାଂଘାତିରେ ହଞ୍ଚିଛି । ଏକ ପିଟିସନ ଉପରେ ଶୁଣାଣୀ କରି ନିକଟରେ ସୁପ୍ରିମକୋର୍ଟ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦୀପାବଳିରେ ବାଣଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଥିଲେ । ବାଣ ବିକ୍ରି ଉପରେ ଲାଗୁ କଟକଣାକୁ ହଟାଇବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାତ୍ର ଏହା ପ୍ରଦୂଷଣ ମାତ୍ରା ବଢ଼ାଉଥିବାରୁ ଏହାକୁ ହଟାଇବାକୁ ସଫା ସଫା ମନା କରି ଦେଇଥିଲେ ସୁପ୍ରିମକୋର୍ଟ। ଏହାସତ୍ତ୍ୱେ ଦୀପାବଳିରେ ଏହି ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ଫଳରେ ଆକାଶରେ ଧୂଆଁର ଚାଦର ଦୃଶ୍ୟମାନ ହେଉଥିବା ବେଳେ ଭିଜିବିଲିଟି ଖୁବ କମ ରହିଛି । ଏପରି ସ୍ଥିତିରେ ପଞ୍ଜାବ , ହରିୟାଣା, ଉତ୍ତରପ୍ରଦେଶରେ ନଡାଗଦା ଜଳାଗଲେ ଦିଲ୍ଲୀର ଅବସ୍ତା ଆହୁରି ଖରାପ ଆଡକୁ ଗତି କରି ପାରେ ବୋଲି ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି । ଦିଲ୍ଲିରେ ଏତେ ମାତ୍ରାରେ ବାୟୁ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ୟ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ରାସ୍ତାରେ ଯିବାକୁ ହେଲେ ଲୋକଙ୍କୁ ଦିନରେ ମଧ୍ୟ ଗାଡ଼ି ଲାଇଟ୍ ଲଗାଇ ଯିବାକୁ ପଡ଼ୁଛି। ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର ।