ଦିଲ୍ଲୀ ପୋଲିସ କବ୍‌ଜାରେ ୫ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କବ୍‌ଜାରେ ୫ ସନ୍ଦିଗ୍ଧ । ସେମାନଙ୍କ ପାଖରୁ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ସନ୍ଦିଗ୍ଧ ମାନେ ISIS ଷ୍ଟାଇଲ୍‌ରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ଆଧାରରେ ରେଡ୍‌ କରି ସେମାନଙ୍କୁ କାବୁ କରିଛି ପୋଲିସ । ତେବେ ଦିଲ୍ଲୀରୁ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ସ୍ପେଶାଲ୍‌ ସେଲ୍‌ । ସେପଟେ ରାଞ୍ଚି, ମଧ୍ୟ ପ୍ରଦେଶ ଏବଂ ହାଇଦ୍ରାବାଦରୁ ଆଉ ୩ ସନ୍ଦିଗ୍ଧ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ବିସ୍ଫୋରଣ ପାଇଁ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଜବତ କରି ଛାନଭିନ୍‌ ଜାରି ରଖିଛି ପୋଲିସ । ଏମାନେ ଆତଙ୍କବାଦ ଲିଙ୍କରେ ସାମିଲ ହୋଇଥିବା ନେଇ ସନ୍ଦେହ ରହିଛି । ଉକ୍ତ ୫ ଜଣ ଯୁବକ ହେଉଛନ୍ତି ଅଶର ଦାନିଶ, ସୁଫିୟାନ ଆବୁବକର, ଆଫତାବ ଅନସାରୀ, ହୁଜାଫିୟା ୟମନ ଓ କମରାନ କ୍ୟୁରେଶୀ । ସମସ୍ତଙ୍କୁ ଗିରଫ କରି ପଟିଆଲା ହାଉସ କୋର୍ଟରେ ହାଜର କରିଛି ଦିଳ୍ଲୀ ପୋଲିସ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସକୁ ଗତ୯ ସେପ୍ଟେମ୍ବରରେ ବିଶେଷ ସୁତ୍ରରୁ ଆତଙ୍କବାଦୀ ଆଫତାବ ବିଷୟରେ ଏକ ସୁରାକ ମିଳିଥିଲା। ସୂଚନା ଆଧାରରେ କାର୍ଯ୍ୟ କରି ସ୍ପେଶାଲ ସେଲ୍ ଚଢାଉ କରି ଆଫତାବକୁ ଧରିଥିଲା, ତାକୁ ପଚରାଉଚରା କରିବା ପରେ ଦାନିଶ ବିଷୟରେ ଜାଣିବାକୁ ମିଳିଥିଲା । ସେପଟେ ପୋଲିସ ଗୁଇନ୍ଦା ସଂସ୍ଥା ସହିତ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ମଧ୍ୟ ଚଢାଉ କରିଥିଲା। ଏହାପରେ ଦିଲ୍ଲୀରୁ ଦୁଇ ଜଣଙ୍କ, ରାଞ୍ଚି, ମଧ୍ୟ ପ୍ରଦେଶ ଏବଂ ହାଇଦ୍ରାବାଦରୁ ଜଣେ ଲେଖାଏଁ ଆତଙ୍କୀ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ପିସ୍ତଲ, ବିଭିନ୍ନ ଡିଜିଟାଲ ଡିଭାଇସ୍‌ ଓ ରାସାୟନିକ ସାମଗ୍ରୀ ଜବତ କରାଯାଇଛି। ଦାନିଶଙ୍କ ନିକଟରୁ, ସ୍ପେଶାଲ୍ ସେଲ୍ ଏକ ଦେଶୀ ନିର୍ମିତ ପିସ୍ତଲ, ଜୀବନ୍ତ ଗୁଳି, ହାଇଡ୍ରୋକ୍ଲୋରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍, ସଲଫର୍ ପାଉଡର ସମେତ ରାସାୟନିକ ପଦାର୍ଥ, ତମ୍ବା ଚାଦର, ବଲ୍ ବିୟରିଂ, ଷ୍ଟ୍ରିପ୍ ତାର, ଇଲେକ୍ଟ୍ରୋନିକ୍ ସର୍କିଟ୍, ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ନଗଦ ଜବତ କରିଛି । ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ସାମଗ୍ରୀଗୁଡ଼ିକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ତିଆରି ପାଇଁ ଉଦ୍ଦିଷ୍ଟ ଥିଲା।