ନୂଆଦିଲ୍ଲୀ-: ପୁଣି ବିବାଦରେ ବାବା ରାମଦେବ । ହମଦର୍ଦ କମ୍ପାନୀର ସର୍ବତ ଉପରେ ରାମଦେବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଗିଦ୍ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ୍ ଅମିତ ବଂଶଲ ଏକ କଡ଼ା ଆଦେଶ ଜାରି କରିବାକୁ ଚେତାବନୀ ଦେଇ କହିଛନ୍ତି ଯେ, ଏହା ନ୍ୟାୟାଳୟର ଅନ୍ତରାତ୍ମାକୁ ଆଘାତ ଦେଇଛି ଏବଂ ଏହାର କୌଣସି ଯଥାର୍ଥତା ନାହିଁ । ଅଦାଲତ ରାମଦେବଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗ ଗୁରୁ ବାବା ରାମଦେବ ଏପ୍ରିଲ ୩ ତାରିଖରେ ତାଙ୍କ ସର୍ବତ ବ୍ରାଣ୍ଡର ପ୍ରଚାର କରିବା ସମୟରେ ହମଦର୍ଦ କମ୍ପାନୀର ସର୍ବତ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।
ଏହି ମାମଲାରେ ହମଦର୍ଦ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ହାଜର ହୋଇଥିଲେ । ସେ ଦିଲ୍ଲୀ ହାଇକୋର୍ଟକୁ କହିଥିଲେ ଏହା ଏକ ଆଶ୍ଚର୍ଯ୍ୟଜନକ ମାମଲା ଯାହା କେବଳ ରୁହ ଅଫଜାକୁ ବଦନାମ କରିବାର ମାମଲା ନୁହେଁ ବରଂ ସାମ୍ପ୍ରଦାୟିକ ବିଭାଜନର ମଧ୍ୟ । ସେ କହିଛନ୍ତି ଯେ ରାମଦେବଙ୍କ ମନ୍ତବ୍ୟ ଘୃଣାପୂର୍ଣ୍ଣ ଭାଷଣ ସହିତ ସମାନ। ତାଙ୍କ ମନ୍ତବ୍ୟ ମାଧ୍ୟମରେ ରାମଦେବ ଧର୍ମ ଆଧାରରେ ହମଦର୍ଦ ଉପରେ ଆକ୍ରମଣ କରିଛନ୍ତି ଏବଂ ଏହାକୁ ‘ଶରବତ ଜିହାଦ’ ବୋଲି କହିଛନ୍ତି।
ବାବା ରାମଦେବ କହିଥିଲେ ଯଦି ତୁମେ ସେହି ସରବତ ପିଅ ତେବେ ମଦ୍ରାସା ଏବଂ ମସଜିଦ ତିଆରି ହେବ । କିନ୍ତୁ ଯଦି ତୁମେ ଏହାକୁ (ପତଞ୍ଜଳିର ଗୋଲାପ ସିରପ) ପିଅ ତେବେ ଗୁରୁକୂଳ ତିଆରି ହେବ, ଆଚାର୍ଯ୍ୟ କୁଳମ ବିକଶିତ ହେବ ପତଞ୍ଜଳି ବିଶ୍ୱବିଦ୍ୟାଳୟ ବିସ୍ତାର ହେବ ଏବଂ ଭାରତୀୟ ଶିକ୍ଷା ବୋର୍ଡ ପ୍ରଗତି କରିବ ।