ମୁମ୍ବାଇ: ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନେ ଯେଭଳି ନିଜ ନମ୍ବରକୁ ରଖି ଅପରେଟର ବଦଳାଇପାରୁଛନ୍ତି, ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ଆଗକୁ ସେଭଳି ସୁବିଧା ମିଳିବାକୁ ଯାଉଛି। ଚଳିତ ବର୍ଷ ଅକ୍ଟୋବରରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଡ ପୋର୍ଟେବିଲିଟି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଦ୍ବାରା ନିଜ ପସନ୍ଦର କାର୍ଡ ନେଟୱର୍କ ଚୟନ କରିବାର ସ୍ବାଧୀନତା ଗ୍ରାହକମାନଙ୍କ ପାଖରେ ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ସର୍କୁଲାର ଜାରି କରି ତାହା ଉପରେ ମତାମତ ଲୋଡ଼ିଛନ୍ତି। ରିଜର୍ଭ ବ୍ୟାଙ୍କର ସର୍କୁଲାର ଉପରେ ବ୍ୟାଙ୍କ ଓ ଜନ ସାଧାରଣ ଅଗଷ୍ଟ ୪ ସୁଦ୍ଧା ନିଜ ମତାମତ ଦେଇପାରିବେ।
ଭାରତରେ ୫ଟି କାର୍ଡ ନେଟୱର୍କ କଂପାନି ସେବା ପ୍ରଦାନ କରୁଛନ୍ତି । ସେମାନେ ହେଉଛନ୍ତି ଭିସା, ମାଷ୍ଟରକାର୍ଡ, ରୁପେ, ଆମେରିକାନ ଏକ୍ସପ୍ରେସ୍ ଓ ଡାୟନର କ୍ଲବ୍। ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ସେମାନଙ୍କ ପସନ୍ଦର କାର୍ଡ ନେଟୱର୍କ ଚୟନ କରିପାରିବେ। ଏବେ କଂପାନି ଯେଉଁ କାର୍ଡ ଦେଉଛନ୍ତି ତାହା ବ୍ୟବହାର କରିବା ବ୍ୟତୀତ ଲୋକମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। କୌଣସି ଏକ ନିର୍ଦ୍ଦିଷ୍ଟ ନେଟ୍ୱର୍କ ପାଇଁ ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ଜାରି ନକରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। କାର୍ଡ ନେଟୱର୍କର ସବୁଠୁ ବଡ଼ କଂପାନି ଭିସା ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ମାଷ୍ଟରକାର୍ଡ। ଭିସାର ଆଧିପତ୍ୟକୁ ଦୁର୍ବଳ କରିବା ଲାଗି ମାଷ୍ଟରକାର୍ଡକୁ ପ୍ରତିଷ୍ଠା କରାଯାଇଥିଲା। ରୁପେ ହେଉଛି ଭାରତର ସ୍ବଦେଶୀ କାର୍ଡ ନେଟୱର୍କ।