ଗଞ୍ଜାମ/ରଜନୀକାନ୍ତ ପାତ୍ର : ଆରପାରିରେ ବ୍ରହ୍ମପୁର ସହରର ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଗତକାଲି(ମଙ୍ଗଳବାର) ଛାତିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର ହେବାରୁ ଆଇସିୟୁରେ ଭେଣ୍ଟିଲେଟେର ରଖି ଚିକିତ୍ସା ଆରମ୍ଭ ହୋଇଥିଲା । ହେଲେ ଆଜି ଭୋର ସମୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଚିରଞ୍ଜିତ ରାଜଗୁରୁ ଏକ ଦୈନିକ ଖବରକାଗଜର ବ୍ରହ୍ମପୁର ସହରର କ୍ରାଇମ ରିପୋର୍ଟର ଭାବେ କାର୍ଯ୍ୟରତ ଥିଲେ ଚିରଞ୍ଜିତ ରାଜଗୁରୁଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାସଭବନରେ ଶେଷ ଦର୍ଶନ କରିବାକୁ ଭିଡ଼ ଜମିଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡିଙ୍କ ସମେତ ସହରର ବହୁ ସାମ୍ବାଦିକ, ଆଇନଜୀବୀ, ପ୍ରଶାସନିକ ଓ ପୋଲିସ ଅଧିକାରୀ ଶେଷଯାତ୍ରାରେ ସାମିଲ ହୋଇଥିଲେ । ଶେଷ ଦର୍ଶନ ପରେ ମରଶରୀରକୁ ତାଙ୍କ ବାସଭବନରୁ ଦୈନିକ ଖବରକାଗଜ କାର୍ଯ୍ୟାଳୟ ପରେ ସହରର ପରିକ୍ରମା କରାଯାଇ ପ୍ରେସକ୍ଳବ ନିଆଯାଇଥିଲା । ପରେ ଗଞ୍ଜାମ ଓକିଲ ସଂଘ କାର୍ଯ୍ୟାଳୟ ନିକଟରେ ସମସ୍ତେ ଚିରଞ୍ଜିତ ରାଜଗୁରୁଙ୍କ ଶେଷ ଦର୍ଶନ କରିଥିଲେ
ଖୋଡାସିଙ୍ଗି ସ୍ଥିତ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି। ସ୍ବର୍ଗତ ରାଜଗୁରୁ ପୂର୍ବରୁ ବିଭିନ୍ନ ଖବରକାଗଜରେ କାର୍ଯ୍ୟ କରିଥିଲେ। ଜଣେ ନିର୍ଭିକ ସାମ୍ବାଦିକ ଭାବରେ ସେ ବେଶ ପରିଚିତ ରହିଥିଲେ । ପରିବାର କହିଲେ ତାଙ୍କର ଗୋଟିଏ କନ୍ୟା ଓ ପୁତ୍ର ସନ୍ତାନ ସମେତ ଧର୍ମପତ୍ନୀ, ବାପା ଓ ମାଆ, ବଡଭାଇ ଓ ଭାଉଜ ଅଛନ୍ତି । ଚିରଞ୍ଜିତ ସମସ୍ତଙ୍କର ପାଇଁ ରହିଥିଲେ ଅତି ଆପଣାର । କେବଳ ଗଣମାଧ୍ୟମ ନୁହେଁ ଆଇନଜୀବୀଙ୍କଠାରୁ ଆରମ୍ଭ କରି ସମାଜର ସମସ୍ତ ବର୍ଗଙ୍କ ସହ ମେଳାପି ଥିଲେ । ବରିଷ୍ଠ ସାମ୍ବାଦିକଙ୍କ ବିୟୋଗକୁ ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଟୁଇଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି|