ବାଣପୁର/ଦିବ୍ୟକାନ୍ତ ବେହେରା : ଅସ୍ତ୍ରରେ ଆକ୍ରମଣ, ଯୁବକ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ । ସୂଚନାଥାଉ କି, ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା (୨୧) ଗ୍ରାମ ଯୁବକଙ୍କ ସହ ଖେଳୁଥିଲେ। ତେବେ ଖେଳିବା ସମୟରେ କୌଣସି କାରଣ ଲାଗି ସନ୍ତୋଷଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାରୁ ତାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ତେବେ ଗ୍ରାମବାସୀ ତୁରନ୍ତ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଡାକ୍ତରଙ୍କ ସୂଚନା ମୁତାବକ ସନ୍ତୋଷଙ୍କ ବାମ ଛାତିରେ କୌଣସି ମାରଣାସ୍ତ୍ର ଦ୍ୱାରା ଗଭୀର କ୍ଷତ ହୋଇଛି। ବାଣପୁର ମେଡିକାଲ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅପରପକ୍ଷରେ ବାଣପୁର ଆଇଆଇସି ବଡ଼ସିରେଇପୁର ଗ୍ରାମକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବା ସହ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି।