ରାଇରଙ୍ଗପୁର (ତିରିଂ): ତିନି ଦିନ ତଳୁ ନିଖୋଜ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଳକ ଅନ୍ତର୍ଗତ ନିରଣପୁର ପଞ୍ଚାୟତର ସାନସାଦମ ଗ୍ରାମର ଜଣେ ବ୍ୟକ୍ତି ଗତ ତିନି ଦିନ ତଳେ ଶୌଚ କରିବାକୁ ଯାଇ ଆଉ ଫେରି ନଥିଲେ । ତେବେ ଲଗାଣ ବର୍ଷା ଯୋଗୁଁ ପୋଖରୀଆ ଡ୍ୟାମରେ ଭାସି ଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଶେଷରେ ଆଜି ତାଙ୍କର ମୃତଦେହ ଉକ୍ତ ଡ୍ୟାମରୁ ଉଦ୍ଧାର କରିଛି ପୋଲିସ ।
ସୂଚନା ଅନୁସାରେ, ଗତ କିଛି ଦିନର ଲଗାଣ ବର୍ଷା କାରଣରୁ ପୋଖରୀଆ ଡ୍ୟାମର ଜଳସ୍ତର ବିପଦ ସଙ୍କେତକୁ ଟପିଥିଲା । ଗତ ୧୯ ତାରିଖ ଦିନ ସାନସାଦମ ଗ୍ରାମର ୫୫ ବର୍ଷିୟ ହାଡିଆ ବାସ୍କେ ବ୍ୟକ୍ତି ଜଣଙ୍କ ଶୌଜ ହେବାକୁ ଯାଇଥିଲେ ସେହି ଡ୍ୟାମକୁ । ମାତ୍ର ଆଉ ଘରୁ ଫେରି ନଥିଲେ । ଏନେଇ ତିରିଂ ଥାନାରେ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଅଭିଯୋଗ ଆଧାରରେ ଅଗ୍ନିଶମ ବିଭାଗ, ପୋଲିସ ବିଭାଗ ଏବଂ ଗ୍ରାମବାସୀ ଖୋଜି ଖୋଜି ଆରମ୍ଭ କରିଥିଲେ । କିନ୍ତୁ କୌଣସି ଖୋଜ୍ ଖବର ମିଳିନଥିଲା । ଶେଷରେ ଆଜି ବାରିପଦାର ଓଡ୍ରାଫ୍ଟ ଟିମ୍ ଆସି ଗଭୀର ଜଳ ଭିତରୁ ହାଡ଼ିଆ ବାସ୍କେଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ମୃତକଙ୍କୁ ଉଦ୍ଧାର କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ରାଇରଙ୍ଗପୁର ହସ୍ପିଟାଲରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।