କାଜୁ ତୋଟାରୁ ମାର୍ବଲ ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର : କାଜୁ ତୋଟାରୁ ମାର୍ବଲ ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ନିକଟରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତବ୍ୟକ୍ତି ହେଉଛନ୍ତି ସାନଖେମୁଣ୍ଡି ବ୍ଲକ ଛଣମେରି ଗାଁର ୨୫ ବର୍ଷୀୟ ମାର୍ବଲ ମିସ୍ତ୍ରୀ ଲଳିତ ମୋହନ ରାଉଳ । ମୃତଦେହଟି ମୌଳାଭଞ୍ଜା ଶଙ୍ଖ ଠାରୁ ପ୍ରାୟ ୫୦୦ ମିଟର ଦୂର କାଜୁ ତୋଟାରେ ପଡ଼ିଥିବା ବେଳେ ନାକ ଏବଂ ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଲିଛି । ମୃତଦେହ ନିକଟରୁ ଏକ ହୋଣ୍ଡା ସାଇନ୍ ବାଇକ ମିଳିଥିବା ବେଳେ ବାଇକଟି ମୃତ ଯୁବକଙ୍କର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରୁ ମୃତ ଯୁବକଙ୍କ ମୋବାଇଲ ସୁଇଚ ଅଫ୍ ରହିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।