ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନିମାପଡା: ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଜଣେ ବୟସ୍କା ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଗଳିତ ଶବଟି ସପ୍ତାହକ ପୂର୍ବରୁ ପଡିଥିବା ଅନୁମାନ କରାଯାଉଛି। ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି କୂଅରେ ପକାଇଦେଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି। କିଛି ସ୍ଥାନୀୟ ଯୁବକଙ୍କ ସୂଚନା ଅନୁସାରେ ଗଣେଶ ପୂଜା ଭଷାଣି ଲାଗି ସେହି ବାଟ ଦେଇ ଯିବା ସମୟରେ ସେହି ସ୍ଥାନଟି ବିକଟାଳ ଦୁର୍ଗନ୍ଧ ହୋଇଥିଲା ଦୁର୍ଗନ୍ଧର ସନ୍ଧାନ ନେବାବେଳେ ପରିତ୍ୟକ୍ତ କୂଅରେ ମୃତ ମହିଳା ଜଣଙ୍କୁ ଦେଖିଥିଲେ। ପରେ ନିମାପଡା ପୁଲିସକୁ ଖବର ଦିଆଯାଇଥିଲା। ସୂଚନା ଅନୁସାରେ ନିମାପଡା ଥାନା ନିମାପଡା-ପିପିଲି ରାସ୍ତାର ଗରପଦାର ତାରିଣୀ ଘସଡାରେ ଥିବା ଏକ ଘରୋଇ ସ୍କୁଲ ପଛ ପଟେ ପରିତ୍ୟକ୍ତ କୂଅ ମଧ୍ୟରୁ ସ୍ଥାନୀୟ ଅନ୍ଧତି ଗ୍ରାମର ରାଧା ମଲ୍ଲିକ (୬୫) ବୋଲି ଜଣାପଡିଛି। ଶବଟି ମୁଖ୍ୟ ରାସ୍ତାର ୨ ଶହ ମିଟର ଦୂର ପରିତ୍ୟକ୍ତ କୂଅ ମଧ୍ୟରେ ଦେଖିବାକୁ ମିଳିଥିଲା। ମହିଳା ଜଣଙ୍କ ଉଲଗ୍ନ ଥିବା ଜଣାପଡିଛି। ତେଣୁ ପୁଲିସର ଉପଯୁକ୍ତ ତଦନ୍ତ ପରେ ଘଟଣାର ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।