ରାଇରଙ୍ଗପୁର: ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ପରିଚୟ ଏବଂ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ମଢେଇକଚା ପଞ୍ଚାୟତରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତର ରାମସିଂ ସୋରେନ ପୁଅ ସୁଶାନ୍ତ ସୋରେନ ଗତ ବିଧବାର ଦିନ ମଢେଇକଚା ପଞ୍ଚାୟତର ଖେଜୁରୀ ବାଲିଆ ପଡିଆରେ ହେଉଥିବା ଫୁଟବଲ୍ ମ୍ୟାଚ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ସୁଶାନ୍ତଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସୁରାଗ୍ ନ ମିଳିବାରୁ ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବହୁ ଖୋଜାଖୋଜି କରିଥିଲା । ମାତ୍ର ସୁଶାନ୍ତଙ୍କର କୌଣସି ଖୋଜଖବର ମିଳିନଥିଲା । ସେପଟେ ଗତକାଲି ସକାଳେ ଉକ୍ତ ଅଞ୍ଚଳରେ ଥିବା ଦଲକି ନାଳରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଗୋରୁମାହିଷାଣି ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ପୋଲିସ ମୃତକଙ୍କୁ ଉଦ୍ଧାର କରି ତଦନ୍ତ କରିଥିଲା ।
ଶେଷରେ ଜଣାପଡିଥିଲା ଯେ ଉକ୍ତ ଯୁବକ ଜଣଙ୍କ ହେଉଛନ୍ତି ନିଖୋଜ ସୁଶାନ୍ତ । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା । ଅନ୍ୟପଟେ ଏକ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ସୁଶାନ୍ତ ଜଣେ ଯୁବ ସମାଜସେବୀ, ଏବଂ କ୍ରୀଡା ପ୍ରିୟ ଯୁବକ ଥିଲେ । ତାଙ୍କର ଏଭଳି ଦୁଃଖଦ ମୃତ୍ୟୁ ନେଇ ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ।