ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ମଶାଣିକୁ ନେଲେ ଭାଇ

(ସୌମ୍ୟ ରଂଜନ ସେଠୀ): ପାଟଣା ଥାନା କେନ୍ଦେଇପଶି ଗ୍ରାମର ସ୍ୱର୍ଗତ ପ୍ରଫୁଲ୍ଲ କୁମାର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକ, ତାଙ୍କର ଦୁଇ ପୁଅ କାଳିଆ ନାଏକ (୨୨) ଓ ଲୁଲୁ (୨୧) କେନ୍ଦୁଝର ଧୋବାଡିହା ଛକରେ ଭଡ଼ା ଘରେ ରହୁଥିଲେ। ଦୁଇ ଭାଇ ସହରର ବିଭିନ୍ନ ସ୍ଥାନରୁ ଜରି ଗୋଟାଇ ଯାହା ରୋଜଗାର କରୁଥିଲେ ସେଥିରେ ଚଳୁଥିଲେ।

ଗତ ଦୁଇମାସ ହେଲା ବଡ଼ପୁଅ କାଳିଆଙ୍କୁ ଜଣ୍ଡିସ ହୋଇଥିଲା। ଗତ ୩ ତାରିଖରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଡାକ୍ତର କଟକ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଅର୍ଥାଭାବ ଓ ଅସହାୟତା ଭିତରେ କାଳିଆଙ୍କୁ ପରିବାର ଲୋକେ ଘରକୁ ନେଇଆସିଥିଲେ। ଘରେ ପଡ଼ିପଡ଼ି ଗତକାଲି କାଳିଆଙ୍କର ମୃତ୍ୟୁ ହୋଇଯାଇଥିଲା। ସାନଭାଇ ଲୁଲୁ ଓ କାଳିଆଙ୍କ ଦୁଇ ସାଙ୍ଗ ଶବକୁ ଶ୍ମଶାନକୁ ନେବା ପାଇଁ କୋକେଇ ବାନ୍ଧିଥିଲେ। କିନ୍ତୁ ଶ୍ମଶାନ ପର୍ୟ୍ୟନ୍ତ ନେବା ପାଇଁ ୪ କାନ୍ଧ ମିଳିନଥିଲା। ସକାଳୁ ଦିନ ୧୨ଟା ପର୍ୟ୍ୟନ୍ତ ଅପେକ୍ଷା କଲେ ମଧ୍ୟ ଆଉଜଣେ ଲୋକ ମିଳିନଥିଲେ। ଶେଷରେ ବାଧ୍ୟ ହୋଇ ଏକ ଟ୍ରଲିର ବ୍ୟବସ୍ଥା କରି ଶବକୁ ଲଦିଥିଲେ। ତିନିଜଣ ମିଶି ଠେଲିଠେଲି ସହର ଭିତରେ ମଶାଣିକୁ ନେଇଥିଲେ।