ପୁରୀ : ଆଜି ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନିତି ହୋଇଥିବାରୁ ଆଜି ପ୍ରାୟ ଅପରାହ୍ନ ୫ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ପ୍ରାୟ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି | ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ। ସେପଟେ ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାରପୂର୍ଣ୍ଣିମା। ହଜାର ହଜାର ଭକ୍ତ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଗ୍ରହଣ କରୁଛନ୍ତି। ଯେହେତୁ ଦର୍ଶନ ପ୍ରାୟ ୪ରୁ ୫ଘଣ୍ଟା ବନ୍ଦ ରହିବ ଏଣୁ ଶ୍ରୀମନ୍ଦିରରେ ନାହିଁ ନଥିବା ଗହଳି ପରିଲକ୍ଷିତ ହୋଇଛି। ସେପଟେ ନୀତି ଶୃଙ୍ଖଳିତ କରିବା ପାଇଁ ଭୋର ୪ଟା ୨୦ରେ ସିଂହଦ୍ଵାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ତାପରେ ମଙ୍ଗଳାଳତୀ, ମଇଲମ, ଅବକାଶ, ଆଦି ଦୈନନ୍ଦିନ ନୀତିକାନ୍ତି ଆଗକୁ ବଢିଛି। ସେପଟେ ମହାପ୍ରଭୁଙ୍କ ବାଳଧୂପ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇ ନୀତିକାନ୍ତି ଶୃଙ୍ଖଳିତ କରାଯାଉଛି।