ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର। ସ୍ଥାୟୀ ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ। ଏଥିପାଇଁ ଆଜି ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଦିନ ୧୦ଟା ପରେ ମାହେନ୍ଦ୍ର ବେଳାରେ ଏହି କାର୍ଯ୍ୟ ସମାପନ ହେବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହେବ ବୋଲି ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ l ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ଏହି ସମୟରେ ବାରଣ ରହିବ l ମହାପ୍ରସାଦ ପାଇବାକୁ ଇଚ୍ଛୁକ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ l ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପରେ ପ୍ରବେଶ କଟକଣା ପ୍ରତ୍ୟାହାର ହେବ ଓ ଦର୍ଶନ ସ୍ୱାଭାବିକ ହେବ l