ଜିନ୍ଦଲ କମ୍ପାନୀର ଦାଦାଗିରି , ପ୍ରଶାସନ ସବୁ ଜାଣି ଚୁପ

ଅନୁଗୋଳ (ସୁଧାକର ସାହୁ) : ଅନୁଗୋଳରେ ଥିବା ଜିନ୍ଦଲ କମ୍ପାନୀ ତାର ନିଜସ୍ୱ କୋଇଲା ଖଣିରୁ କୋଇଲା  ଉତ୍ତୋଳନ ପାଇଁ ରାଇଝରଣ ଗ୍ରାମକୁ ଅଧିଗ୍ରହଣ କରିଥିଲା l ମାତ୍ର ଗ୍ରାମବାସୀଙ୍କୁ ସେମାନଙ୍କର ଉପଯୁକ୍ତ କ୍ଷତିପୂରଣ  ନଦେଇ ଲୋକଙ୍କୁ ପୋଲିସର ଭୟ ଦେଖାଇ ଜୋର ଜବରଦସ୍ତ କୋଇଲା ଉତ୍ତୋଳନ ପାଇଁ ନିଜର ମେସିନ ଧରି ପହଂଚି ଥିଲା l ଯାହାଫଳରେ  ଗ୍ରାମବାସୀ ମାନେ ନିଜ ଉପଯୁକ୍ତ ପ୍ରାପ୍ୟ ନପାଇବା ପର୍ଯ୍ୟନ୍ତ କମ୍ପାନୀର କୋଇଲା ଖନନ କରାଇ ନ ଦେବାପାଇଁ  ସାମୁହିକ ଭାବେ ବିରୋଧ କରିଥିଲେ l ଯାହା ଫଳରେ ଜିନ୍ଦଲ କମ୍ପାନୀ ପୋଲିସ ସାହାଯ୍ୟରେ କିଛି ବ୍ୟକ୍ତିଙ୍କୁ ଘଟଣା ସ୍ଥଳରୁ ଉଠେଇ ନେଇଥିଲା l ରାତି ପ୍ରାୟ ୯ ସମୟରେ ସମସ୍ତଙ୍କୁ ଛାଡି ଥିଲା ତେବେ ଏହାକୁ ବିରୋଧ କରି ସମସ୍ତ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପଦର୍ଶନ କରିବା ସହ ଧାରଣା ଦେଇଥିଲେ l

ଫଳରେ ରାଇଝରଣ ଗ୍ରାମବାସୀଙ୍କ ମନରେ ଜିନ୍ଦଲ କମ୍ପାନି ପ୍ରତି ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି  l  ଜିନ୍ଦଲ କମ୍ପାନୀକୁ ନିଜର ଭିଟାମାଟିକୁ ଦେଇ ନିଜର ପ୍ରାପ୍ୟ ପାଇବା ପରିବର୍ତ୍ତେ ସେମାନଙ୍କୁ ନିର୍ଯାତିତ ହେବାକୁ ପଡିଛି l ଜିନ୍ଦଲ କମ୍ପାନୀ ସ୍ଥାନୀୟ ଜନସାଧାରଣଙ୍କ ସ୍ୱପ୍ନ ଦେଖାଇ ଏବେ ଶୋଷଣ କରିବାରେ ଲାଗିଛି l କିନ୍ତୁ ସେମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନିଜର ଦାବି ଗୁଡିକ ଉପସ୍ଥାପନା କରିଥିଲେ l  ସେମାନେ ମୁଖ୍ୟତଃ ଏକ ଏକର ଜମି ପ୍ରତି ବଦଳରେ ୧୫ ଲକ୍ଷ ଟଙ୍କା, ବିସ୍ଥାପିତ ପ୍ୟାକେଜ ୪୦ ଲକ୍ଷ ଓ ସ୍ଥାୟୀ ଚାକିରୀ ପ୍ରତିବଦଳରେ ୨୫ ଲକ୍ଷ , ବିସ୍ଥାପିତ ର ତାଲିକା ସଂଶୋଧନ କରି ୧୮ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତି ମାନଙ୍କୁ ବିସ୍ଥାପିତ ତାଲିକା ଭୁକ୍ତ କରିବା , ସମସ୍ତ ଖଣିର କ୍ଷତି ପୂରଣ ରାଶି ଏକ କାଳୀନ ପ୍ରଦାନ ଦାବି ଗୁଡିକ ଉପସ୍ଥାପନା କାରିଥିଲେ ମଧ୍ୟ ଜିଲ୍ଲାପାଳ ଆଲୋଚନା ପାଇଁ ଦେଖା ଦେଇ ନଥିଲେ l

ଫଳରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରିଥିଲେ ମଧ୍ୟ କୌଣସି ଦାବୀ ଗୁଡିକୁ ଜିଲ୍ଲା ପ୍ରଶାସନ ମାନିବାକୁ ରାଜି ନ ହୋଇ ଜୋର ଜବରଦସ୍ତ ଖଣି ଖୋଲିବା ପାଇଁ କହିଥିଲେ | ଯାହାଫଳରେ ଲୋକଙ୍କ ମନରେ ଏବେ ଯେଉଁ ଅସନ୍ତୋଷ ଦେଖା ଦେଇଛି ତାହା ଆଗାମୀ ଦିନରେ ବିରାଟ ଆନ୍ଦୋଳନର ରୂପ ନେଇପାରେ l   ଜନସାଧାରଣ ଚର୍ଚ୍ଚା କରୁଥିବା ବେଳେ କଂଗ୍ରେସ୍ ନେତ୍ରୀ ସସ୍ମିତା ବେହେରା ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ନା ପସନ୍ଦ କରିବା ସହ ଆଗାମୀ ଦିନରେ ଦାବି ତୀବ୍ର ହେବ ବୋଲି କହିଛନ୍ତି |