ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା, ଏଠାରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ବାତ୍ୟା ସୃଷ୍ଟି ହୋଇଛି। ଏହାର ନାଁ ଡିଟୱା ରଖାଯାଇଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଏବେ ଏହା ଶ୍ରୀଲଙ୍କାର ପୋଟ୍ଟୁଭିଲ୍‌ ନିକଟବର୍ତୀ, ଯାହା ଚେନ୍ନାଇ ଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ରହିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଉତର-ଉତର ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହା ଉତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି। ଆଶନ୍ତା ୩୦ ତାରିଖ ବେଳକୁ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଆଗାମୀ ୪୮ ଘଣ୍ଟାରେ ଓଡ଼ିଶାରେ ପଦଳିବ ପାଗ । ବର୍ତ୍ତମାନ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ବଢିବ ଶୀତ । ୨ ରୁ ୩ ଡିଗ୍ରୀ ଖସିବ ରାତିର ତାପମାତ୍ରା । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏପଟେ ତାମିଲନାଡୁ ଏବଂ ପୁଡ଼ୁଚେରୀକୁ ବାତ୍ୟା ଭୟ ରହିଥିବା ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ଆକଳନ କରିଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ପ୍ରଥମେ ଯେଉଁ ବାତ୍ୟାଟି ଉତ୍ତର ପୂର୍ବ ଇଣ୍ଡୋନେସିଆ ପାଖରେ ସୃଷ୍ଟି ହୋଇଥିଲା, ତା’ର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଦ୍ବିତୀୟ ସିଷ୍ଟମଟି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏବଂ ଦକ୍ଷିଣ ପୂର୍ବ ଶ୍ରୀଲଙ୍କା ପାଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଅଧିକରୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଦେଇ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ତାମିଲନାଡୁ ଏବଂ ପୁଡ଼ୁଚେରୀ ଉପରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । “