ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୀଷଣ ରୂପ ଧାରଣ କଲା ମୋନ୍ଥା । ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନର ରୂପ ନେଲା ବାତ୍ୟା । ଭୀଷଣ ରୂପ ସହ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ମୋନ୍ଥା । ବଙ୍ଗୋପସାଗରରୁ ବଳ ଗୋଟାଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ଗତି କରୁଛି ସାଇକ୍ଲୋନ । ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ମଛଲିପଟନମ ଠାରୁ ୨୩୦, କାକିନାଡ଼ାଠାରୁ ୨୭୦ ବିଶାଖାପଟ୍ଟନମରୁ ୩୪୦କିମି ଏବଂ ଗୋପାଳପୁରରୁ ୫୫୦କିମି ଦୂରରେ ବାତ୍ୟା ମୋନ୍ଥା । ଆନ୍ଧ୍ର ଉପକୂଳ ମୁହାଁ ହେବା ସହ କାକିନାଡାରେ ପ୍ରଭାବ ଦେଖାଇଲାଣି ସାଇକ୍ଲୋନ ମୋନ୍ଥା ଏହା ସହିତ ଦକ୍ଷିଣ ଓଡ଼ିଶାରେ ମଧ୍ୟ  ପ୍ରଭାବରେ ପଡି ପ୍ରବଳ ବର୍ଷା ଜାରି ରହିଛି ଏବଂ କଟକ ଓ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା ହେଉଛି । ବାତ୍ୟାର ମୁକାବିଲା କରିବା ପାଇଁ  ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ଗଜପତି ଓ ରାୟଗଡାରେ ବର୍ଷା ଲାଗି ରହିଥିବା ବେଳେ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାୟ ୨୦୦୦ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୋନ୍ଥା ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ କିମି ରହିବ । ଘଣ୍ଟାପ୍ରତି ୧୧୦ କିମି ରହିବ ଝଟକା ପବନର ବେଗ ।

CYCLONE 2

ବାତ୍ୟା ମୋନ୍ଥା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ନେଇ ସତର୍କ କରାଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର ପକ୍ଷରୁ ନେଇ ପ୍ରସ୍ତୁତି ଜାରି ରହିଛି । ସେହିପରି ଜଳ ସମ୍ପଦ ବିଭାଗ ମଧ୍ୟ ଅଧିକାରୀମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି । ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସମୀକ୍ଷା କରି କହିଛନ୍ତି ବିଭିନ୍ନ ବିଭାଗ ସହ ପ୍ରସ୍ତୁତି ନେଇ ବୈଠକ ସରିଛି । ପଞ୍ଚାୟତରୁ ରାଜ୍ୟ ସ୍ତରରେ ପ୍ରସ୍ତୁତି ସରିଛି । ଯେ କୌଣସି ପରିସ୍ଥିତି ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।