ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ଗଜପତି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ନଜର ଆସିଛି।
କାଶୀନଗର ଓ ଆର.ଉଦୟଗିରିରେ ମାଟି ଅତଡ଼ା ଖସିଛି । ଗୁମ୍ମା , ମୋହନା ରାୟଗଡ଼ା ବି ପ୍ରଭାବିତ ହୋଇଛି , ଏହା ସହ ଭୁସ୍ଖଳନ ମଧ୍ୟ ହୋଇଛି । ଚିକିଟି ଓ ପାତ୍ରପୁରରେ ପ୍ରବଳ ବର୍ଷା ଯୋଗୁଁ ଗଛ ଉପୁଡି ପଡ଼ିଛି । ରାସ୍ତାରେ ଗଛ ପଡ଼ିଥିବା ନେଇ ୨୨ଟି ଅଭିଯୋଗ ଆସିଛି । ବର୍ତ୍ତମାନ ସୁଦ୍ଧା ସମସ୍ତେ ସୁରକ୍ଷିତ ଅଛନ୍ତି କାହାର ମୃତ୍ୟୁ ସୂଚନା ମିଳିନି । ବାତ୍ୟା ଯୋଗୁଁ ଗତକାଲି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ଲାଗି ରହିଛି । ବର୍ଷା ହାଲୁକା କମିଥିଲେ ସୁଦ୍ଧା ମହେନ୍ଦ୍ରଗଡ଼, ଉଦୟପୁର ଅଞ୍ଚଳରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଏନ୍ଡିଆର୍ଏଫ୍ ଟିମ୍ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି । ଏହାପରେ ଆର ଉଦୟଗିରିର ବ୍ଲକ ବଡ଼ ଗାଁ ରାସ୍ତା ଉପରେ ଏକ ବିରାଟକାୟ ପଥର ସହ ମାଟି ଅତଡ଼ା ଖସିଛି । ଫଳରେ ଏଠାରେ ଯାତାୟାତ ଠପ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ରାସ୍ତା ସଫା କରିବାକୁ ଏନ୍ଡିଆର୍ଏଫ୍ ଟିମ୍ ଜେସିବି ସହ ପହଞ୍ଚିଛି ।

ସେପଟେ ରାୟଗଡ଼ା ଜିଲ୍ଲାର ଗୁଣୁପୁର, ଗୁଡାରି ଏବଂ ରାମନାଗୁଡ଼ା ଅଞ୍ଚଳରେ ଉପୁଡ଼ି ପଡ଼ିଥିବା ଗଛ ଅନେକ ରାସ୍ତା ଅବରୋଧ କରିଛି। ତେବେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ନିୟୋଜିତ ଟିମ୍। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ସାତ ଜଣ ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।