ଓଟିଇଟି ପ୍ରଶ୍ନପତ୍ର ଲିକ୍ ପରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ
କଟକ:- ଓଟିଇଟି ପ୍ରଶ୍ନପତ୍ର ଲିକ୍ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ତାଙ୍କୁ ଘନ ଘନ ଜେରା ପରେ ବାନ୍ଧିଛି କ୍ରାଇମ୍ବ୍ରାଞ୍ଚ । ଏହି ମାମଲାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଏବେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଗତକାଲି ବୋର୍ଡ ସଭାପତି ନିହାର ରଞ୍ଜନଙ୍କୁ ପ୍ରଶ୍ନ ପତ୍ର ଲିକ୍ ନେଇ ପଚରାଉଚରା କରିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ତାଙ୍କ ଲାପଟପରୁ ଚୋରି ହୋଇଥିଲା ଓଟିଇଟି ପ୍ରଶ୍ନପତ୍ର ।
କ୍ରାଇମବ୍ରାଞ୍ଚ ସୂଚନା ଅନୁଯାୟୀ, ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍ଟପ୍କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ । କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍କୁ ଏଫ୍ଟିପି (ଫାଇଲ୍ ଟ୍ରାନ୍ସଫର୍ ପ୍ରୋଟକଲ୍) ମାଧ୍ୟମ ବଦଳରେ ଇ-ମେଲ୍ରେ ପ୍ରଶ୍ନପତ୍ର ଆସିଥିଲା । ବୋର୍ଡର ରେଗୁଲେସନ୍ ଚାପ୍ଟର-୧୧ ଉପଧାରା ୧୫ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଗୋପନୀୟ ମୁଦ୍ରଣ ଓ ପ୍ରଶ୍ନ ବିତରଣ ବୋର୍ଡ ସଂପାଦକଙ୍କ ଦାୟିତ୍ବ । କିନ୍ତୁ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କିପରି ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂପୃକ୍ତ ହେଲେ ଓ ତାଙ୍କ ବ୍ୟକ୍ତିଗତ ଲାପ୍ଟପ୍କୁ ପ୍ରଶ୍ନର ସଫଟ୍ କପି କାହିଁକି ଆସିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି । ୩ ବର୍ଷ ତଳେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ସଂପାଦକଙ୍କଠାରୁ ଏ ଦାୟିତ୍ବ କାଢ଼ି ଆଣି ଉପସଭାପତିଙ୍କୁ ଦିଆଯାଇଥିଲା । କିନ୍ତୁ ବୋର୍ଡର ଡିଏଲ୍ଆର୍ କର୍ମଚାରୀ ଜିତନ ମହାରଣାଙ୍କୁ ଉପସଭାପତି ଡକ୍ଟର ମହାନ୍ତି ବୋର୍ଡର ଗୋପନୀୟ କାର୍ଯ୍ୟରେ ନିୟୋଜିତ କରିବା ବି ବଡ଼ କେଳେଙ୍କାରୀର ପ୍ରମାଣ ଦେଉଛି ।
ତଦନ୍ତରୁ ଜଣାପଡ଼ିଛି ଯେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଉପସଭାପତିଙ୍କ ଅଫିସରେ ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଅନୈତିକ ଭାବେ ବିଏସ୍ଇର ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ହାସଲ କରିଥିଲେ । ସେ ଏହାକୁ ରାଜ୍ୟ ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର ସଭାପତି ସନାତନ ବିଶୋୟୀଙ୍କୁ ପ୍ରଦାନ କରିଥିଲେ । ଏହି ବ୍ୟକ୍ତିମାନେ ପୂର୍ବ ସ୍ପେଶାଲ୍ ଓଟିଇଟି ପରୀକ୍ଷାରେ ଅସଫଳ ହୋଇଥିବା ଶିକ୍ଷକମାନଙ୍କୁ ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ କୁମାର ରାଉତଙ୍କ ମାଧ୍ୟମରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିଥିଲେ । ଅଭିଯୁକ୍ତମାନେ ଏହି ପ୍ରଶ୍ନପତ୍ର ବଦଳରେ ଶିକ୍ଷକମାନଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦ ଟଙ୍କା ଗ୍ରହଣ କରିଥିଲେ ।
କଟକ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର ଏଷ୍ଟାବ୍ଲିସମେଂଟ ଅଫିସର ବୁଲବୁଲ ବେହେରାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବାନେଇ ପ୍ରଥମେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ୧୯ତାରିଖ ରାତି ୧୦ଟା ୪୫ମିନିଟରେ ଦେଖିବା ପରେ ଏହି ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି ।