ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ ପ୍ରେମୀ
ଅହମ୍ମଦାବାଦ-: ଆଜି ଆଇପିଏଲର ଫାଇନାଲ ଫାଇଟ୍ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କରି ନୂଆ ଟିମକୁ ମିଳିବ ଆଇପିଏଲ ମୁକୁଟ । ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଉଭୟ ଟିମ ପୂର୍ବରୁ ଚାମ୍ପିୟନ ହୋଇ ନ ଥିବାରୁ ଏଥର ଆଇପିଏଲକୁ ନୂଆ ବିଜେତା ମିଳିବ । ଉଭୟ ଟିମ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କ୍ୱାଲିଫାୟର ୧ରେ ପଞ୍ଜାବକୁ ବେଙ୍ଗାଲୁର ପରାସ୍ତ କରିଥିଲା । କ୍ୱାଲିଫାୟର ୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି ।
ଉଭୟ ଟିମ ୯ଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ପଞ୍ଜାବ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ରହିଛି ଏବଂ ଆରସିବି ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଲିଗ ପର୍ଯ୍ୟାୟ ମ୍ୟାଚରେ ଉଭୟ ଟିମର ଦମଦାର ପ୍ରଦର୍ଶନ ରହିଥିଲା । ତେଣୁ ଫାଇନାଲରେ କଡ଼ା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ପଞ୍ଜାବ କିଙ୍ଗ୍ସ ୨୦୧୪ରେ ଫାଇନାଲ ଖେଳି କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ ପରେ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ଉଭୟ ଦଳ ପୂର୍ବରୁ କେବେ ବି ଚାମ୍ପିଅନ ହୋଇନାହାନ୍ତି । ଉଭୟ ଟିମ ଭିତରୁ ଯିଏ ବି ବିଜୟୀ ହେବ ସେ ପ୍ରଥମ ଥର ଲାଗି ଆଇପିଏଲ୍ ଟ୍ରଫି ଜିତିବ ।