SI ପରୀକ୍ଷା ଜାଲିଆତି, ୧୧୯ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ । ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ୧୧୯ ଜଣ ଧରାପଡ଼ିଥିଲେ । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଧରିଥିଲା ବ୍ରହ୍ମପୁର ପୋଲିସ ।

ସୂଚନା ଅନୁସାରେ, ବ୍ରହ୍ମପୁର ପୋଲିସ ଗତକାଲି ଆନ୍ଧ୍ର ଶ୍ରୀକାକୁଲମରୁ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଧରିଥିଲା । ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ଏହି ୧୨୦ ପରୀକ୍ଷାର୍ଥୀଙ୍କୁ ହାଇଦ୍ରାବାଦ ନିଆଯାଉଥିଲା । ବିଶେଷ ସୁତ୍ରରୁ ପୋଲିସ ଖବର ପାଇ ସେମାନଙ୍କୁ ଶ୍ରୀକାକୁଲମରେ ଧରି ବ୍ରହ୍ମପୁର ଆଣି ପଚରାଉଚରା ଜାରି ରଖିଥିଲା । ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ସେମାନଙ୍କୁ ଜାଲିଆତି ପାଇଁ ନେଉଥିଲା ବୋଲି ସୂଚନା ମିଳିଥିଲା । ଏହାପରେ ବୋର୍ଡ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଥିଲା । ସିପିଏସଇ-୨୦୨୪ ସବୁ ପରୀକ୍ଷାରେ ସ୍ବଚ୍ଛତା ପାଇଁ ୯୦୪୦୪୯୩୨୨୩ ହେଲ୍ପ ଲାଇନ ନମ୍ବର ଜାରି ହୋଇଥିଲା । ନିଜ ଅଭିଯୋଗ ଏହି ନମ୍ବରରେ ଜଣାଇବା ପାଇଁ OPRB ନିବେଦନ କରିଥିଲା । ତା’ର କିଛି ସମୟ ପରେ ପରୀକ୍ଷା ସ୍ଥଗିତ ଲାଗି ଘୋଷଣା କରିଥିଲା OPRB । ଆସନ୍ତା ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ପୋଲିସ SI ଲିଖିତ ପରୀକ୍ଷା ସ୍ଥଗିତ ରଖିଥିଲା OPRB । ଏନେଇ OPRB ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା ଦେଇଥିଲା OPRB ।