ହାଇଦ୍ରାବାଦ: ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି। ୧୫ ମାସ ହେବ କୋଭିଡର ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଗଭୀର ଭାବରେ ଗବେଷଣା କରୁଥିବା ବିଶେଷଜ୍ଞ ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପ୍ରୋ-ଭାଇସ ଚାନସେଲର ଡାକ୍ତର ବିପିନ ଶ୍ରୀବାସ୍ତବ ଏହା କହିଛନ୍ତି। । ଲୋକମାନେ କୋଭିଡ ପ୍ରୋଟୋକଲର ପାଳନ ନ କଲେ ଆଗାମୀ ଦିନରେ ତୃତୀୟ ଲହର ସାଂଘାତିକ ହୋଇପାରେ ବୋଲି ସେ କହିଛନ୍ତି। ସେ ନିଜ ଗବେଷଣାର ଏକ ଅଂଶ ଶେଆର କରିଛନ୍ତି, ଯେଉଁଥିରେ ୪୬୧ ଦିନର ଗ୍ରାଫକୁ ସେ ଅନୁଧ୍ୟାନ କରିଛନ୍ତି। ଦୈନିକ ମୃତ୍ୟୁ ସଂଖ୍ୟାକୁ ଅନୁଶୀଳନ କରି ତୃତୀୟ ଲହର ଆସି ଯାଇଥିବା ସେ କହିଛନ୍ତି। ମୁଖ୍ୟତଃ ସଂକ୍ରମଣ ଏବଂ ମୃତ୍ୟୁ ହାରକୁ ଆଧାର କରି ସେ ଏପରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀବାସ୍ତବଙ୍କ ଅନୁଯାୟୀ, କୋଭିଡର ଦ୍ୱିତୀୟ ଲହର ଫେବୃଆରୀ ପ୍ରଥମ ସପ୍ତାହରେ ଆସିଥିଲା ଏବଂ ଏପ୍ରିଲ ଶେଷ ଆଡକୁ ଏହା ପିକରେ ପହଞ୍ଚିଥିଲା । ଲୋକମାନେ ମାସ୍କ ପିନ୍ଧିବା ସହିତ, ସାମାଜିକ ଦୂରତା, ଜନ ଗହଳି ପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବା ଦରକାର ଏଥିସହ ନିୟମିତ ଭାବରେ ହାତ ସାନିଟାଇଜ କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।