(ଶିଳାସ୍ମିତା ରାୟ)ଭୁବନେଶ୍ୱର: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ସକାଳ ୬ଟା ୫୧ରୁ ଏହାର ଉତ୍କ୍ଷେପଣ ପାଇଁ ୨୦ଘଣ୍ଟିଆ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି । ୧୫ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରରୁ ଜିଏସ୍ଏଲ୍ଭି ମାର୍କ ଥ୍ରୀ ରକେଟ୍ ମାଧ୍ୟମରେ ଏହାର ଉତ୍କ୍ଷେପଣ ହେବ।
ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଗୋଟିଏ ଅର୍ବିଟର, ବିକ୍ରମ ଲ୍ୟାଣ୍ଡର, ପ୍ରଜ୍ଞା ରୋଭରକୁ ନେଇ ଗଠିତ ଚନ୍ଦ୍ରଯାନ-୨କୁ ଇସ୍ରୋ ନିର୍ମାଣ କରିଛି । ଆସନ୍ତା ଆସନ୍ତା କାଲି ଏହାର ଉତ୍କ୍ଷେପଣ ହେବାକୁ ଥିବା ବେଳେ ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଅବତରଣର ୧୪ ଦିନ ପରେ ଏହା ସେଠାରେ ଅଧ୍ୟୟନ କରିବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ଇସ୍ରୋ। ଏହି ମିଶନରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହେବ।
ଏଥିରେ ମୋଟ ୧୩ଟି ଭାରତୀୟ ପେଲୋଡ ରହିଛି। ରୋଭର୍ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ , ଆଇରନ୍ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିଶନ୍ ଅଧ୍ୟୟନ କରିବ। ତେବେ ପ୍ରଥମ ଥର ପାଇଁ ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରାଇବା ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଇସ୍ରୋର ବୈଜ୍ଞାନିକମାନେ କହିଛନ୍ତି। ଚନ୍ଦ୍ରଯାନ-୧ ମିଶନର ୧୧ ବର୍ଷ ପରେ ଏହି ଦ୍ୱିତୀୟ ଚନ୍ଦ୍ର ଅଭିଯାନ ପାଇଁ ଇସ୍ରୋ ଆଶାବାଦୀ ଥିବା ବେଳେ, ଏହା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ଅଭିଯାନ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରିବାରେ ଭାରତ ଚତୁର୍ଥ ଦେଶର ଗୌରବ ହାସଲ କରିବ ।