ତେଜରାତି ଦୋକାନରୁ କଫ ସିରପ ଜବତ, ଜଣେ ଗିରଫ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗଦାସିଳା ଗାଁର ଏକ ତେଜରାତି ଦୋକାନରେ ଚଢାଉ କରିଛି ପୋଲିସ । ବେଆଇନ ଭାବରେ କୋଡିନ ମିଶ୍ରିତ କଫ ସିରପ ବିକ୍ରି ହେଉଥିବାର ଖବର ପାଇ ଦୋକାନରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ୮୦ ବୋତଲ କଫ ସିରପ ସହିତ ଏକ ବ୍ୟାଗ୍, ଏକ ମୋବାଇଲ ଫୋନ ପୁଲିସ ପକ୍ଷରୁ ଜବତ କରିବା ସହ ଗଦାସିଳା ଗ୍ରାମର ସିପୁନ ବାରିକକୁ ପୁଲିସ ଗିରଫ କରିଛି । ଏ ନେଇ ଥାନାରେ କେସ ନଂ ୧୨୮/୨୧ରେ ଏକ ଏନ୍ଡିପିଏସ ମାମଲା ରୁଜୁ କାରାଯାଇଥିବା ବେଳେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନା ଆଇଆଇସି ଦୀପିକା ଦେବୀ ରାଓ ସୂଚନା ଦେଇଛନ୍ତି । ଥାନା ଏସଆଇ ଲଲାଟେନ୍ଦୁ ନାଏକଙ୍କ ନେତୃତ୍ୱରେ ଆଜି ତେଜରାତି ଦୋକାନରେ ଅତର୍କିତ ଚଢଉ କରାଯାଇଥିଲା । ଚଢାଉ ସମୟରେ ମାଜିଷ୍ଟ୍ରେଟ କଣିହାଁ ତହସିଲଦାର ପତିତପାବନ ଦେବତା ଉପସ୍ଥିତ ଥିବା ବେଳେ ଏହି ମାମଲାର ତଦନ୍ତ ଭାର ସିଆଇ ପି.କେ.ମହାରଣାଙ୍କୁ ଦିଆଯାଇଥିବା ଆଇଆଇସି ଶ୍ରୀମତୀ ରାଓ କହିଛନ୍ତି ।