ଭୁବନେଶ୍ବର ୧୪/ ୦୬ : ରାଜ୍ୟରେ ସୁସ୍ଥ ହେଲେ ଆଉ ୮୧୮୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୮ ଲକ୍ଷ ୪ ହଜାର ୯୮୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୮୭ ଜଣ ରହିଛନ୍ତି ।
ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୬୧୨୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୭୫ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୮୬୪ଜଣ ଲୋକାଲ୍ କେସ୍ ରହିଛନ୍ତି । ୫୫୯୨୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୯୬୭୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୭୨୦୯୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।