ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

(ମମତା ସାମଲ ): ରାଜ୍ୟରେ ରବିବାର ସକଳୁ ପୁଣି ୨ ଜଣ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଭାବେ ଚିହ୍ନଟ ହୋଇଥିବା ବ୍ୟକ୍ତିମାନେ ଗଂଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାରୁ ଏହା ଜଣାପଡ଼ିଛି । ଗଂଜାମ ଜିଲ୍ଲାକୁ ଶନିବାର ଯାଏଁ ଗ୍ରୀନ ଜୋନ ବୋଲି କୁହାଯାଇଥିଲା । କିନ୍ତୁ ଆଜି ଠାରୁ ଏହି ଜିଲ୍ଲା ରେଡ ଜୋନରେ ଯୋଡ଼ି ହୋଇଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ରେ ପହଞ୍ଚିଛି । ତେବେ ଆଜି କରୋନା ମାନଚିତ୍ରରେ ଗଞ୍ଜାମ ଯୋଡ଼ି ହୋଇଯିବା ପରେ ରାଜ୍ୟର ୧୬ଟି ଜିଲ୍ଲାକୁ କରୋନା ଭାଇରସ ପହଞ୍ଚିଛି । ଯାଜପୁର ଜିଲ୍ଲାରେ ୪୮ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୪୭ ଜଣ, ବାଲେଶ୍ୱର ଜିଲ୍ଲାରେ ୨୦ ଜଣ, ଭଦ୍ରକ ଜିଲ୍ଲାରେ ୧୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଜଣ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଗଂଜାମ ଓ ବଲାଙ୍ଗୀର ଜିଲ୍ଲାରେ ୨ ଜଣ ଲେଖାଏଁ, ଢେଙ୍କାନାଳ, ପୁରୀ, କଟକ, କୋରାପୁଟ, ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାଏଁ ୩୮ ହଜାର ୬୫୮ଟି ଆରଟି ପିସିଆର ଟେଷ୍ଟ ହୋଇଛି । ଏଥିରୁ ୧୫୯ଟି ନମୁନା ପଜିଟିଭ ରିପୋର୍ଟ ଆସିଛି । ଏବେ ସୁଦ୍ଧା ୫୬ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧୦୨ ଜଣଙ୍କ ଚିକିତ୍ସା ଜାରି ରହିଛି ।