କରୋନା ଭାଇରସ୍ ସମ୍ପର୍କିତ ସଚେତନତା କର୍ମଶାଳା

(ପାରାଦ୍ବୀପ /ପ୍ରଶାନ୍ତ କୁମାର ସ୍ବାଇଁ) : ପାରାଦ୍ବୀପ ବନ୍ଦର ପକ୍ଷରୁ କରୋନା ଭାଇରସ୍ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବନ୍ଦର ଚିକିତ୍ସାଳୟର ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳାକୁ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଉଦଘାଟନ କରିଥିଲେ। କରୋନା ଭାଇରସ୍ କୁ ନେଇ ସାରା ବିଶ୍ଵରେ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ନେଇ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି। ଏହାର ଏକ ଅଂଶ ସ୍ବରୂପ ପାରାଦ୍ବୀପ ବନ୍ଦରାଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ଓ ବନ୍ଦର ବ୍ୟବହାରକାରୀ ସଂସ୍ଥା ମାନଙ୍କୁ ନେଇ ଏହି ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। କିପରି ଏହି ଭାଇରସ୍ କୁ ରୋକାଯାଇ ପାରିବ, ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ କିପରି ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯିବା ଦରକାର, ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଠାରୁ ପ୍ରଶିକ୍ଷଣ ନେଇଥିବା ବ୍ୟକ୍ତି ସେମାନଙ୍କ କର୍ମସଂସ୍ଥାନ ଗୁଡିକରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପାରାଦ୍ବୀପ ବନ୍ଦର ପକ୍ଷରୁ ମଧ୍ୟ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।