(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋଟର୍ସ ଟୁଡ଼େ)ଭୁବନେଶ୍ୱର : ଆଜିକାଲି ଚିକେନରେ ବିଭିନ୍ନ ପ୍ରକାର ରେସିପି ବନେଇ ପରିବାରଙ୍କୁ ଖାଇବାକୁ ଦେଉଥିବେ କିନ୍ତୁ ଆଜି ଆମେ ଏକ ଏପରି ରେସିପି ଶିଖେଇବୁ ଯାହା ଆପଣ ଜାଣିନଥିବେ ।
ଆବଶ୍ୟକ ସାମଗ୍ରୀ: ଚିକେନ୍-୧/୨ , କଟା ପିଆଜ-ଗୋଟେ , ପିଆଜ-ଅଦା-ରସୁଣ ବଟା-୨ଚାମଚ , ଟମାଟୋ-ଗୋଟିଏ , କାଜୁ ପେଷ୍ଟ୍-୨ ଚାମଚ, ତେଲ-୨୦୦ ଗ୍ରାମ , ଲବଙ୍ଗ୬ଟି , ଗୁଜୁରାତି-୨ଟି , ଡାଲଚିନି-୨ଟି , ହଳଦୀ ଗୁଣ୍ଡ-୧ ଚାମଚ , ଲଙ୍କା ଗୁଣ୍ଡ-୨ ଚାମଚ , ଧନିଆ ଗୁଣ୍ଡ-୧ ଚାମଚ , ଜିରା ଗୁଣ୍ଡ-୧ ଚାମଚ , ଆମଚୁର ପାଉଡର-ଅଳ୍ପ , ଦହି-୪ ଚାମଚ , ଚାଟ୍ ମସଲା-ଛୋଟ ୧ଚାମଚ , ଆଚାର-ଅଳ୍ପ ଓ ଲୁଣ- ସ୍ୱାଦ ଅନୁଯାୟୀ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ। ତା’ପରେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ଏହାପରେ ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ। ମସଲା କଷି ହୋଇ ଆସିଲେ, ଏଥିରେ ଚିକେନ୍, ଲୁଣ, ଆମଚୁର ପାଉଡର୍, କାଜୁ ପେଷ୍ଟ୍ ଏବଂ ଆଚାର ପକାଇ ପୁଣି କଷନ୍ତୁ। ଏବେ ଏହାକୁ ସିଝିବା ଲାଗି କିଛି ୨୦ ମିନିଟ ଘୋଡ଼ଣୀ ରଖନ୍ତୁ ମଝିରେ ମଝିରେ ଓଲଟା ଓଲଟି କରି ଘୋଡାଇ ଦିଅନ୍ତୁ । ସିଝିଗଲା ପରେ ଧନିଆ ପତ୍ରରେ ସଜେଇ ଏହାକୁ ପ୍ଲେଟ୍କୁ କାଢ଼ି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଟ୍ପଟା ଆଚାରି ଚିକେନ୍। ଏବେ ଏହାକୁ ରୁଟି, ନାନ୍, ପରଟା ବା ରୁମାଲ୍ ରୁଟି ସହ ଖାଇପାରିବେ ।