ଶ୍ରୀଜଗନ୍ନାଥଙ୍କ ପାଇଁ ରାଜ୍ୟ ସରକାରଙ୍କୁ ମଣେଇବା ଅଭିଯାନରେ କଂଗ୍ରେସ । ବିଭିନ୍ନ ପ୍ରସଙ୍ଗ ଉଠାଇ ସାରା ରାଜ୍ୟରେ ସଂକୀର୍ତ୍ତିନ ସତ୍ୟାଗ୍ରହ କରିଥିଲା କଂଗ୍ରେସ । ପିସିସି ସଭାପତିଙ୍କ ଆହ୍ୱାନ କ୍ରମେ ରାଜ୍ୟର ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳରେ କଂଗ୍ରେସ କର୍ମୀ ଏକାଠି ହୋଇ ସଂକୀର୍ତ୍ତିନ କରିଥିଲା । ସ୍ଥାନୀୟ ଅଞ୍ଚଳର ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଧାମରେ ଆୟୋଜିତ ହୋଇଥିଲା ଏହି ସତ୍ୟାଗ୍ରହ । ଓଡିଶାର ସ୍ୱାର୍ଥ ଓ ଶ୍ରୀ ଜଗନ୍ନାଥ ଭକ୍ତଙ୍କ ନାନା ଅସୁବିଧା ପ୍ରତି ରାଜ୍ୟ ସରକାର ତଥାପି ଅଣଦେଖା କରୁଛନ୍ତି ଓ କର୍ଣ୍ଣପାତ କରୁ ନାହାଁନ୍ତି ବୋଲି ଦାବୀ କରିଥିଲେ କଂଗ୍ରେସର କାର୍ୟ୍ୟକର୍ତ୍ତା । ଯେଉଁ ପ୍ରସଙ୍ଗ ପାଇଁ ଆଉ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିବାକୁ ଯାଉଛି ରାଜ୍ୟ କଂଗ୍ରେସ । ଆରମ୍ଭ କରିବାକୁ ଯାଉଛି ତୁଳସୀ ଯାତ୍ରା । ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ, ପଞ୍ଚାୟତ , ବ୍ଲକ୍ ଓ ଜିଲ୍ଲା ସ୍ତରରୁ ତୁଳସୀ ସଂଗ୍ରହ କରି ଆଣିବେ କଂଗ୍ରେସ କର୍ମୀ । ସଂଗୃହୀତ ତୁଳସୀକୁ ପୁରୀ ଶ୍ରୀକ୍ଷେତ୍ର ଧାମକୁ ନେଇ ଯିବେ । ରାଜଧାନୀରୁ ହେବ ଶ୍ରୀକ୍ଷେତ୍ର ଯାତ୍ରା । ସଂକୀର୍ତ୍ତିନ ସତ୍ୟାଗ୍ରହ କରି ରାଜ୍ୟ ସରକାରଙ୍କୁ ଚେତାଇବାକୁ ଚେଷ୍ଟା କରିଥିଲା ରାଜ୍ୟ କଂଗ୍ରେସ । ତୁଳସୀ ଯାତ୍ରା କରି ଆଉଥରେ ଜଣାଇବାକୁ ଯାଉଛି ପୂର୍ବ ଦାବୀ । ଶ୍ରୀ ଜଗନ୍ନାଥଙ୍କ ଚାରି ଦ୍ୱାର ଖୋଲିବା କଥା । ରତ୍ନ ଭଣ୍ଡାରର ମରାମତି ଓ ରତ୍ନର ଗଣତି । ବେଦାନ୍ତ ନେଇଥିବା ଶ୍ରୀ ଜଗନ୍ନାଥଙ୍କ ଜମି ହସ୍ତାନ୍ତର ପ୍ରମୁଖ ଅନ୍ୟାନ୍ୟ ପ୍ରସଙ୍ଗ , ରାଜ୍ୟ ସରକାରଙ୍କ ସାମ୍ନାରେ ରଖିବ କଂଗ୍ରେସ ଦଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ରାଜ୍ୟ କଂଗ୍ରେସର ତୁଳସୀ ଯାତ୍ରା ସମ୍ପର୍କରେ ନିଷ୍ପତି ହୋଇଛି । କଂଗ୍ରେସ ଦଳର ପୁରୁଖା ନେତା ପ୍ରସାଦ ହରିଚନ୍ଦନ ମଧ୍ୟ ଏହା ସମ୍ପର୍କରେ ମତାମତ ରଖିଛନ୍ତି । ରତ୍ନ ଭଣ୍ଡାର ଚାବି ହଜାଇ ଦେଇଛନ୍ତି କି ବୋଲି ପ୍ରଶ୍ନ ଉପରେ ଇଂଗିତ କରି, ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।