ଭୁବନେଶ୍ଵର: ଦେଶବାସୀ ପାଳନ କରୁଛନ୍ତି ୭୯ତମ ସ୍ବାଧୀନତା ଦିବସ । ଭୁବନେଶ୍ବରରେ ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏଥିସହ ସ୍ବାଧୀନତା ଦିବସ ଅବସରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି । ୮ KBK ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ସୁବିଧା ମିଳିବ । ୩ ମାସ ପାଇଁ ୨୭ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ମିଳିବ ଏହି ସୁବିଧା । ମୋଟ ୪୧ ହଜାର ୮୨ ମେଟ୍ରିକ ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟରେ ଆହୁରି ନୂଆ ମେଡିକାଲ କଲେଜ ଖୋଲାଯିବା ସହ ବ୍ରହ୍ମପୁର ମେଡିକାଲ କଲେଜର ଉନ୍ନତି କରାଯାଇ ତାକୁ ଏମ୍ସ ପ୍ଲସ କରାଯିବ । ଅନ୍ୟପଟେ ଆଗାମୀ ୫ ବର୍ଷରେ ‘୭୫ ହଜାର କିମି ଉଚ୍ଚମାନର ସଡ଼କ ନିର୍ମାଣ ହେବ । ଆଉ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛୁ । ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ବନ୍ଦର ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ସେହିପରି ଗଠନ ହେବ ଆଉ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ । ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ତେଣୁ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ NAC ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।