ବ୍ଲେଡରେ କାଟି କ୍ଷତ ସ୍ଥାନରେ ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ବ୍ୟୁରୋ-: ସ୍କୁଲ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେବା ସହ ବ୍ଲେଡରେ ହାତ କାଟି ଦେଇଛି ସିନିୟର । ଖାଲି ସେତିକି ନୁହେଁ କ୍ଷତ ସ୍ଥାନରେ ଲୁଣ ମାରିବା ସହ ବନ୍ଦ ଘରେ ହାତକୁ ବାନ୍ଧି ୩-୪ ଘଣ୍ଟା ନିସ୍ତୁକ ପିଟିଛି । ଏପରି ଏକ ଅଭବନୀୟ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଅଞ୍ଚଳରୁ ।

ସୂଚନା ଅନୁସାରେ, ଷଷ୍ଠ ଶ୍ରେଣୀର ଛାତ୍ରଟି ବିଦ୍ୟାଳୟ ଛାତ୍ରାବାସରେ ରହି ପଢୁଥିଲେ । ଗତ ଫେବୃଆରୀ ମାସରେ ସେହି ସ୍କୁଲର ଛାତ୍ରାବାସରେ ରହି ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା କେତକ ଛାତ୍ର ମଦ ପିଉଥିବା ବେଳେ ପୀଡିତ ଦେଖି ଦେଇଥିଲେ । ମଦ ପିଉଥିବା ପିଲାମାନେ ସେକଥା ଜାଣିପାରି ଲୁହାଛଡରେ ମାରିବା ସହ ଉକ୍ତ ଘଟଣା ସମ୍ପର୍କରେ କାହାରିକି କହିଲେ ଛୁରୀ ଭୁସି ମାରିଦେବେ ବୋଲି ଧମକ ଦେଇଥିଲେ । ପିଲାଟି ଡରରେ ଘଟଣା ସମ୍ପର୍କରେ କାହାରିକୁ କିଛି ଜଣାଇ ନଥିଲା । ସେ ଘରକୁ ଫେରିବା ପରେ ଘରଲୋକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ପରିବାର ବର୍ଗ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଭିତ୍ତିରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଛାତ୍ରଙ୍କ ଦେହରେ ଶତାଧିକ କଟା ଦାଗ ଥିବା ଦେଖିବାକୁ ମିଳିଥିବା ବେଳେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ଏବଂ ଏହାସହ ଦୃଢ ପଦକ୍ଷେପ ନେବା ପାଇଁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ।