୮ ରୁ ଦୁଇଦିନିଆ ସିଟି ଫେଷ୍ଟିଭାଲ

(ରିପୋର୍ଟସ ଟୁଡେ) ଭୁବନେଶ୍ୱରରେ ଚାଲିଛି ହକି ବିଶ୍ୱକପ। ମ୍ୟାଚ୍‌ ଦେଖିବା ଲାଗି ଦେଶ ବିଦେଶରୁ ହକିପ୍ରେମୀ ଓଡ଼ିଶା ଆସୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁରୀ ବୁଲି ଆସୁଛନ୍ତି। ହକି ବିଶ୍ୱକପକୁ ସ୍ମରଣୀୟ କରିବା ଏବଂ ମ୍ୟାଚ୍‌ ଦେଖିବା ଲାଗି ଦେଶବିଦେଶର ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବା ଲାଗି ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ସିଟି ଫେଷ୍ଟିଭାଲ। ଏହି ଦୁଇଦିନିଆ ଫେଷ୍ଟିଭାଲର ନାଁ ମଡ୍‌ ଫେଷ୍ଟ ରଖାଯାଇଛି ବୋଲି ବୁଧବାର ସର୍କିଟ ହାଉସ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି।
ଏହି ଫେଷ୍ଟିଭାଲର ରୂପରେଖ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ କହିଛନ୍ତି ଯେ, ୮ ଓ ୯ ତାରିଖ ସନ୍ଧ୍ୟା ସାଢେ ୬ଟାରୁ ୧୦ଟା ପର୍ୟ୍ୟନ୍ତ ବେଳାଭୂମିରେ ଏହି ସାଂସ୍କୃତିକ ଆସର ଜମିବ। ଓଡ଼ିଶା ଏବଂ ଓଡ଼ିଶା ବାହାରର କଳାକାରମାନେ ଏଥିରେ ଯୋଗଦେଇ ନାଚ, ଗୀତରେ ଦର୍ଶକଙ୍କୁ ମତୁଆଲା କରିବେ। ଉଦ୍‌ଘାଟନୀ ସନ୍ଧ୍ୟାରେ ମୁମ୍ବାଇର ମୋହିତ ଗୌର (ଇଣ୍ଡିଆଜ ର-ଷ୍ଟାର ପ୍ରତିଯୋଗୀ), ସୃଷ୍ଟି ବରେଲୱାର ସଙ୍ଗୀତ ପରିବେଷଣ କରିବେ। ସେହିପରି ଓଡ଼ିଶାର ଅଗ୍ନିମିତ୍ର ରକ୍‌ ବ୍ୟାଣ୍ଡ ଅନ୍ୟତମ ଆକର୍ଷଣ ସାଜିବ। ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶାର ୟୁବା ବ୍ୟାଣ୍ଡ ସହିତ ଅମିତ୍‌ କୁମାର ଡିଜେ ନାଇଟ୍‌ରେ ଥରିବ ପୁରୀ ବେଳାଭୂମି। ଏଥିସହ ଶେଷ ସନ୍ଧ୍ୟାରେ ଯୁବଗୋଷ୍ଠୀଙ୍କୁ ନଚାଇବେ ଯୁବ କଣ୍ଠଶିଳ୍ପୀ ପ୍ରିୟଙ୍କା ନେଗୀ।
ହୋଟେଲ ଜମିଦାର ପ୍ୟାଲେସ୍‌ ପଛପାର୍ଶ୍ୱ ବେଳାଭୂମିରେ ହେବାକୁ ଥିବା ଏହି ମଡ୍‌ ଫେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ପ୍ରାୟ ୩ ହଜାର ଦର୍ଶକ ବସିବା ଭଳି ବ୍ୟବସ୍ଥା ହେବ। ଏଥିପାଇଁ ପୋଲିସ, ଅଗ୍ନିଶମ, ସେସୁ, ସ୍ବାସ୍ଥ୍ୟ ପ୍ରଭୃତି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିସହ ବିଭିନ୍ନ ହୋଟେଲରେ ରହୁଥିବା ପର୍ୟ୍ୟଟକ ଏବଂ କଲେଜ ଛାତ୍ରୀଛାତ୍ର କିପରି ଏହି ଫେଷ୍ଟିଭାଲକୁ ଆସିପାରିବେ ସେ ନେଇ ହୋଟେଲ ମାଲିକ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା।
ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝି, ଉପଜିଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।