ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଜେଟ୍ 2026 ପରେ ସିଗାରେଟ୍ ଧୂମପାନକାରୀଙ୍କ ପାଇଁ ବଡ଼ ଝଟକା ନେଇଆସିଛି। ତମାଖୁ ଉତ୍ପାଦ ଉପରେ ଟିକସ ବୃଦ୍ଧି ପରେ ସିଗାରେଟ୍ ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖାଯାଇଛି। ଏହାର ପ୍ରଭାବ ସିଧାସଳଖ ଭାବେ ଉପଭୋକ୍ତାଙ୍କ ପକେଟ୍ ଉପରେ ପଡ଼ୁଛି। ନୂତନ ଦର ଅନୁଯାୟୀ, ପୂର୍ବରୁ 10 ଟଙ୍କାରେ ମିଳୁଥିବା ଅଧିକାଂଶ ସିଗାରେଟ୍ ଏବେ 20 ରୁ 25 ଟଙ୍କା ମଧ୍ୟରେ ବିକ୍ରି ହେବ। ସେହିପରି ପ୍ରିମିୟମ୍ ସିଗାରେଟ୍ର ଦର ମଧ୍ୟ ଗୁରୁତର ଭାବେ ବଢ଼ିଛି, ଯାହା ଧୂମପାନକୁ ପୂର୍ବ ଅପେକ୍ଷା ଅଧିକ ମହଙ୍ଗା କରିଦେଇଛି।

ସୂଚନା ଅନୁସାରେ, 76 ମିଲିମିଟର ସିଗାରେଟ୍ର ମୂଲ୍ୟ ପ୍ରତି ପ୍ୟାକ୍ 50 ରୁ 55 ଟଙ୍କା ମଧ୍ୟରେ ରହିପାରେ। ତଥାପି ଚୂଡ଼ାନ୍ତ ମୂଲ୍ୟ ବ୍ରାଣ୍ଡ ଓ କମ୍ପାନୀମାନଙ୍କ ଦର ସଂଶୋଧନ ଉପରେ ନିର୍ଭର କରିବ। ଗତ ପ୍ରାୟ ସାତ ବର୍ଷ ପରେ ସିଗାରେଟ୍ ଉପରେ ଏହା ସବୁଠାରୁ ବଡ଼ ଟିକସ ବୃଦ୍ଧି ବୋଲି ଜଣାପଡ଼ିଛି। ସରକାରଙ୍କ ଯୁକ୍ତି ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ମାନଦଣ୍ଡ ସହ ସମନ୍ୱୟ ରଖି ତମାଖୁ କର ବୃଦ୍ଧି କରିବା ଅତ୍ୟାବଶ୍ୟକ।