Cuttack: ସିଏଚଏସଇ (CHSE) ପରିଚାଳିତ ଯୁକ୍ତ ଦୁଇ (+୨) ବର୍ଗର ସମସ୍ତ ପରୀକ୍ଷା ଆଜି ସଫଳଭାବେ ସମାପ୍ତ ହୋଇଛି। ପରୀକ୍ଷା ଶେଷ ହେବା ସହିତ ଏବେ ଛାତ୍ରଛାତ୍ରୀଙ୍କ ନଜର ରହିଛି ଫଳ ପ୍ରକାଶ ଉପରେ। ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସୂଚନା ଅନୁସାରେ, ଆସନ୍ତା ୪୦ରୁ ୪୫ ଦିନ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷାର ଫଳ ପ୍ରକାଶ ପାଇବ। ଏହା ଅନୁସାରେ, ମେ’ ମାସରେ ଫଳ ପ୍ରକାଶ ହେବାର ସମ୍ଭାବନା ରହିଛି।
ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶାଖାରେ ମୋଟ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପ୍ରାୟ ୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।ଏପ୍ରିଲ ୨ ତାରିଖରୁ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଏହିପାଇଁ ରାଜ୍ୟରେ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ସହିତ ପ୍ରାୟ ୧୬ ହଜାର ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଛି।
ସିଏଚଏସଇ ପକ୍ଷରୁ ଜଣାପଡ଼ିଛି ଯେ, ଏବେ ବର୍ଷ ମୋଟ ୨୫ ଲକ୍ଷ ଖାତା ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ କରାଯିବ। ଏପ୍ରିଲ ଶେଷ ସୁଦ୍ଧା ଖାତା ଦେଖା ପ୍ରକ୍ରିୟା ସମାପ୍ତ କରିବା ଲକ୍ଷ୍ୟ ରଖାଯାଇଛି। ଏହି ମୂଲ୍ୟାୟନ ପ୍ରକ୍ରିୟା ଅଫଲାଇନ ଓ ଅନଲାଇନ ଉଭୟ ମାଧ୍ୟମରେ କରାଯିବ। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବା ସହିତ ସମସ୍ତ ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପନ୍ନ କରିବାକୁ ବିଶେଷ ଧ୍ୟାନ ଦିଆଯାଇଛି।