କଟକ: ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ୍ ଘଟଣା । ସାମ୍ନାକୁ ଆସିଲା ଷଡ଼ଯନ୍ତ୍ରର ଗନ୍ଧ । ଚମ୍ପଟ୍ ମାରିଥିବା ସେଲ୍ ସର୍ଚ୍ଚ କରିବା ପରେ ମିଳିଲା ମୋବାଇଲ୍, ଚାର୍ଜର । ଶୌଚାଳୟ ଭିତରୁ ମୋବାଇଲ୍, ଚାର୍ଜର ସହ ପାୱାର ବ୍ୟାଙ୍କ୍ ମିଳିଥିବା ନେଇ ସୂଚନା ମିଳିଛି । ସେଲ୍କୁ ଫୋକସ୍ କରାଯାଇଥିବା ସିସି କ୍ୟାମେରାର ଦିଗ ମଧ୍ୟ ବଦଳା ଯାଇଥିବା ନେଇ ଜଣଅପଡିଛି । ଏଥିସହ ଦଶହରାରେ ୨ ବିହାରୀ କଏଦୀଙ୍କୁ ସେଲ୍ ବାହାରକୁ ବୁଲିବାକୁ ଛଡ଼ାଯାଇଥିବା ନେଇ ସୂଚନା ମିଳିଛି । ଘଟଣା ପୂର୍ବରୁ କଏଦୀଙ୍କ ପାଖରେ ଆରି ଥିବା ଜଣାଇଥିଲେ ଅନ୍ୟ ଏକ କଏଦୀ । ଏହା ସତ୍ତ୍ବେ ବି ଜେଲ୍ ମାନୁଆଲ୍ ଅନୁସାରେ ବଦଳା ଯାଇ ନଥିଲା କଏଦୀଙ୍କ ଠିକଣା । ମାନୁଆଲ୍ ଅନୁସାରେ ଜେଲ୍ ଅଧୀକ୍ଷକ, ଜେଲର୍ ପ୍ରତ୍ୟେକ ଦିନ ସେଲ୍ ସର୍ଚ୍ଚ କରିବା କଥା । କିନ୍ତୁ ୩ ମାସ ହେବ ଉଭୟ କଏଦୀ ରହୁଥିବା ସେଲ୍ ସର୍ଚ୍ଚ ହୋଇ ନଥିବା ସୂଚନା ମିଳିଛି ।
କଟକ ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ୍ ମାରିଥିଲେ । ଅଲଗା ଅଲଗା ସେଲ୍ରେ ଥିଲେ ଦୁଇ ଅଭିଯୁକ୍ତ । ଆରିରେ ରଡ୍ କାଟି ଜେଲରୁ ବାହାରିଥିଲେ । ବ୍ୟବହାର କରୁଥିବା କମ୍ବଳକୁ ଦଉଡ଼ି କରି ପାଚେରୀ ଡେଇଁଛନ୍ତି । ଫେରାର ହୋଇଥିବା ଏହି ଦୁଇ କଏଦୀ ପାଣିକୋଇଲି ଅଞ୍ଚଳରେ ଏକ ଅଳଙ୍କାର ଦୋକାନ ଲୁଟ୍ ଘଟଣାରେ ଜଡ଼ିତ ଥିଲେ। ଲୁଟେରାମାନେ ଅଳଙ୍କାର ଦୋକାନ ଉପରେ ଗୁଳିମାଡ଼ କରି ଲୁଟପାଟ କରିଥିଲେ, ଯେଉଁଥିରେ ଦୁଇ ଜଣଙ୍କର ଜୀବନ ଯାଇଥିଲା। ଏହି ଲୋମହର୍ଷକ ଘଟଣା ପରେ ସ୍ଥାନୀୟ ଲୋକେ ଉଭୟ ଅପରାଧୀଙ୍କୁ କାବୁ କରି ପୋଲିସ ଜିମାକୁ ହସ୍ତାନ୍ତର କରିଥିଲେ।
ଚିଫ୍ ୱାର୍ଡର୍ ଭଗତ ରାମ୍ ଓ ୱାର୍ଡର୍ ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କୁ ନିଲମ୍ୱନ କରିଛନ୍ତି ଜେଲ୍ ଡିଜି । କଟକ ରେଞ୍ଜ ଡିଆଇଜି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି । ସିସିଟିଭି ଯାଞ୍ଚ ଚାଲିଛି । ଘଟଣାସ୍ଥଳରେ ଜେଲ ଡିଆଇଜି, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଓ ଚୌଦ୍ଵାର ପୁଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ତଦନ୍ତ ଜୋରଦାର କରାଯାଇଛି । କଟକ ଡିସିପି ଅଫିସ ପକ୍ଷରୁ ଚୌଦ୍ୱାର ସର୍କଲ ଜେଲରୁ ୨ ଫେରାର କଏଦୀଙ୍କ ଫଟୋ ଜାରି କରାଯାଇଛି । ସେମାନଙ୍କ ସମ୍ବନ୍ଧରେ କିଛି ଜାଣିଲେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ସହିତ ସଠିକ୍ ସୂଚନା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କଟକ ଡିସିପି ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।