(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଭାରତର କୂଟନୈତିକ ବିଜୟ । ଚୀନର ରାଜଧାନୀ ବେଜିଂରେ ଅନୁଷ୍ଠିତ ହେଉଥିବା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ସମ୍ମିଳନୀରେ ପ୍ରଥମ ଥର ପାଇଁ ଚୀନ ସ୍ୱୀକାର କରିଛି ଜାମ୍ମୁକାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଂଶ।
ମାନଚିତ୍ରରେ ଅରୁଣାଚଳକୁ ଭାରତର ବୋଲି ପ୍ରଦର୍ଶନ କରିବା ଏକ ଛୋଟ କଥା ନୁହେଁ। କାରଣ ଦୀର୍ଘ ସମୟରୁ ଚୀନର ଦୃଷ୍ଟି ଏହା ଉପରେ ଥିଲା । ଗତ କିଛିଦିନ ତଳେ ଏଭଳି ଏକ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଭାରତର ବୋଲି ଦର୍ଶା ଯାଇଥିବାରୁ ଚାଇନାରେ ୧ ହଜାରରୁ ଊର୍ଦ୍ଧ୍ୱ ମାନଚିତ୍ର ପୋଡ଼ାଯାଇଥିଲା। ଏପରିକି ଚାଇନା ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ଭାବେ ଦର୍ଶାଇ ଆସୁଛି, ଯାହାର ଉତ୍ତର ଭାଗକୁ ଚୀନ ନିଜ ଅକ୍ତିଆରରେ ରଖିଛି। ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତକୁ ଏହି ରାଷ୍ଟ୍ର ବିରୋଧ କରିଆସିଛି।
ଚାଇନା ସବୁ ସମୟରେ ଜାମ୍ମୁକାଶ୍ମୀର ବୃହତର ଭାଗକୁ ପାକିସ୍ତାନର ବୋଲି କୁହିଆସିଥାଏ । କିନ୍ତୁ ପାକିସ୍ତାନ ଅଧିକୃତ କାଶ୍ମୀରକୁ ବର୍ତ୍ତମାନ ଚାଇନା ଭାରତର ଅଂଶ ବିଶେଷ ଭାବେ ଦର୍ଶାଉଛି। ଯଦି ଏହା ସତ ହୋଇଥାଏ, ଏହା ଭାରତର ଏକ ବିରାଟ କୂଟନୀତିକ ବିଜୟ ବୋଲି କୁହାଯାଇ ପାରିବ ।
ସୂଚନାଯୋଗ୍ୟ, ବିଆରଆଇର ଏହି ଦ୍ୱିତୀୟ ସମ୍ମିଳନୀରେ ଭାରତ ବୟକଟ୍ କରିଛି। କିନ୍ତୁ ଭାରତକୁ ମନାଇବା ପାଇଁ ସମ୍ଭବତଃ ଚାଇନା ଭାରତ ସୀମା ମଧ୍ୟ ଦେଇ ବେଲ୍ଟ ଆଣ୍ଡ ରୋଡ୍ର କାଳ୍ପନିକ ମାର୍ଗ ବିଛାଇ ମାନଚିତ୍ର ପ୍ରସ୍ତୁତ କରିଛି। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଏହି ସମ୍ମିଳନୀ ଅବସରରେ ହିଁ ଏହି ମାନଚିତ୍ର ପ୍ରଦର୍ଶନ କରିଛି