ଶିଶୁସୁରକ୍ଷା ଗାଇଡ଼ଲାଇନକୁ ସରକାରଙ୍କ ଅଣଦେଖା

(ରିପୋର୍ଟସ ଟୁଡ଼େ): ବିଭିନ୍ନ ଛାତ୍ରାବାସରେ ରହୁଥିବା ୧ରୁ ୧୮ ବର୍ଷ ପର୍ୟ୍ୟନ୍ତ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ଷେ ପୂର୍ବରୁ ଦିଆଯାଇଥିବା ଗାଇଡଲାଇନକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଏନସିପିସିଆର ସଦସ୍ୟ ଯଶବନ୍ତ ଜୈନ କହିଛନ୍ତି। ଗୁରୁବାର ରାଜ୍ୟ ଅତିଥି ଭବନରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ପିଲାମାନଙ୍କ ଉପରେ ହେଉଥିବା ନିର୍ୟାତନାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଓଡ଼ିଶାରେ କେତେକ ବେଆଇନ ଶେଲଟର ହୋମ ଚାଲୁଛି ତାହାର ହିସାବ ସରକାରଙ୍କ ପାଖରେ ନାହିଁ। ଢେଙ୍କାନାଳ ଜିଲାରେ ଚାଲୁଥିବା ବେଆଇନ ଶେଲଟର ହୋମ ଛାତ୍ରମାନଙ୍କୁ ଯୌନ ଶୋଷଣ କରୁଥିଲେ ମଧ୍ୟ ସେ ବିଷୟରେ ସରକାର ଅବଗତ ନ ଥିଲେ। ଏନସିପିସିଆର ପକ୍ଷରୁ ଯେଉଁ ଗାଇଡ ଲାଇନ ଜାରି କରାଯାଇଛି ତାହାକୁ ଆଦୌ ପାଳନ କରାଯାଉ ନାହିଁ। ରାଜ୍ୟ ସରକାର ନିଜେ ମଧ୍ୟ ଏଥିପାଇଁ ଗାଇଡ ଲାଇନ ପ୍ରସ୍ତୁତ କରି ନାହାନ୍ତି। ଶେଲଟର ହୋମ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବା ସହ କର୍ମଚାରୀମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବାକୁ ଗାଇଡ ଲାଇନରେ ନିର୍ଦ୍ଦେଶ ରହିଛି। ଏଥିସହିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ନିୟମିତ ବ୍ୟବଧାନରେ ରାଜ୍ୟରେ ଥିବା ସମସ୍ତ ଛାତ୍ରାବାସଗୁଡ଼ିକୁ ପରିଦର୍ଶନ କରିବା ସହ ଏନସିପିସିଆରକୁ ରିପୋର୍ଟ ଦେବା କଥା । ତାହା କରାଯାଉ ନ ଥିବାରୁ ଜୈନ କ୍ଷୋଭ ପ୍ରକାଶ କରିଛନ୍ତି।