ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯାଜପୁର ଜିଲ୍ଲା ଗସ୍ତରେ ଆସି ନଗଡ଼ା ଅଂଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି

ଯାଜପୁର-: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଶ୍ରୀ ଗିରୀଶ ଏସ୍‌ଏନ୍‌, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବୀନିତ ଭରଦ୍ବାଜ ଓ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ସହିତ ଘରକୁ ଘର ବୁଲି ନଗଡ଼ାବାସୀଙ୍କ ଭଲମନ୍ଦ ବୁଝିଛନ୍ତି । ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଉପସ୍ଥିତ ରହି ନଗଡା ଅଂଚଳରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।ମୁଖ୍ୟ ଶାସନ ସଚିବ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାଧାରଣ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ଉପର ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଥିଲେ । ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘର ବାବଦକୁ କିଛି ହିତାଧିକାରୀ ୬୦ ପ୍ରତିଶତ କାର୍ଯ୍ୟ ଦେଖି ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଥିଲେ । ଯଥାଶୀଘ୍ର ସଂପୂର୍ଣ୍ଣ ଘର ପାଇଁ ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଓ ବିଡିଓ ପ୍ରଦୀପ୍ତ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସ୍ବାସ୍ଥ୍ୟକେନ୍ଦ୍ର ନଯାଇ ନିଜ ଘରେ ସନ୍ତାନ ପ୍ରସବ କରି ପ୍ରତିଷେଧକ ଟିକା ନେଇନଥିବା ଶିକର ପ୍ରଧାନଙ୍କ ପତ୍ନୀ ସୁବାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ମୁଖ୍ୟ ଶାସନ ସଚିବ । ମମତା ଯୋଜନାରେ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଯୋଜନାରେ ସାମିଲ କରିବାକୁ ନିର୍ଦେଶ ଦେଇଥିଲେ । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ବଳରାମ ମିଶ୍ର ଓ ମୁଖ୍ୟଯନ୍ତ୍ରୀ ଇଂ ରତ୍ନାକର ସାହୁଙ୍କ ଉପସ୍ଥିତିରେ ଯୋଗାଣ ପାନୀୟଜଳର ମାନ ଏବଂ ଏଥିରେ ଥିବା‌ ଫ୍ଲୋରାଇଡର ମାତ୍ରା ସମ୍ପର୍କରେ ଅବଗତ ହୋଇଥିଲେ । ଗ୍ରାମବାସୀଙ୍କ ସ୍ନାନଶୌଚ ପାଇଁ ପୋଖରୀ ଖୋଳାଇବା ଦାବି ଆଧାରରେ ଗାଁ ଉପର ମୁଣ୍ଡ ଝର ଜାଗାରେ ବାସ୍ତବ ସ୍ଥିତି ଅନୁଧ୍ୟାନକରି ପଦକ୍ଷେପ ନେବା ପାଇଁ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜଙ୍ଗଲ ଜମି ଅଧିକାର ଆଇନ ଆଧାରରେ ଚାଷଜମି ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଡିଏଫ୍‌ଓ ଅନିଲ ରାୟ ଓ ଏସିଏଫ୍‌ ସନ୍ତୋଷ କୁମାର ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ମୁଖ୍ୟ ଶାସନ ସଚିବ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଏହାର ଉନ୍ନତୀକରଣ ପାଇଁ ସିଡିଏମ୍‌ଓ ଡା. ପ୍ରକାଶ ଚନ୍ଦ୍ର ବଳ, ଅଧୀକ୍ଷକ ଡା. ଜୟଦେବ ନନ୍ଦ ଓ ଡିପିଏମ୍‌ ବିଶ୍ବରଞ୍ଜନ ରଥଙ୍କୁ ପରାମର୍ଶ ଦେଇଥିଲେ ।