ନବୀନଙ୍କ ଜାପାନ ଗସ୍ତ ପୁଞ୍ଜିନିବେଶ ପାଇଁ ଖୋଲିବ ବାଟ

ଭୁବନେଶ୍ୱର: ଜାପାନ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ରେ ଓଡ଼ିଶାରେ ନିବେଶ ନିମନ୍ତେ ଦେଶ ବିଦେଶ ରେ ଅନେକ ପ୍ରସ୍ତାବ ମିଳିଛି । ତେବେ ରାଜ୍ୟରେ ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ଆରମ୍ବ ହୋଇଛି। ଏହି ସମ୍ମିଳନୀ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ କରିବେ ଆଲୋଚନା । ନବୀନଙ୍କ ଜାପାନ ଗସ୍ତକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଜାପାନ ଯିବେ ଏହା ଅତି ଖୁସିର କଥା । ପୂର୍ବରୁ ଜାପାନରୁ ଆସିଥିବା ପୁଞ୍ଜି ଶିଳ୍ପ କ୍ଷେତ୍ରକୁ ଛାଡି ଅନ୍ୟ କିଛି କ୍ଷେତ୍ରରେ ବିନିଯୋଗ ହୋଇଛି । ତେଣୁ ଏବେ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଜାପାନ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଜାପାନ ଗ୍ରୁପକୁ ରାଜ୍ୟ ସରକାରଙ୍କ ପ୍ରତିନିଧି ପୂର୍ବରୁ ଭେଟିଥିଲେ। ୨୦୧୦ ଓ ୨୦୧୫ରେ ଜାପାନ ଗ୍ରୁପକୁ ଓ ନିବେଶକଙ୍କ ସହ ଆଲୋଚନା ହୋଇଥିଲା ।ଜାପାନରେ ଅଧିକ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ଶିଳ୍ପ ଅଛି। ଆଉ ସେଠାରୁ ନିବେଶକ ଆସି ନିବେଶ କଲେ କ୍ଷୁଦ୍ର ଶିଳ୍ପ ସଂସ୍ଥା ଉପକୃତ ହେବେ । ବିଦେଶରୁ ଅଧିକ ପୁଞ୍ଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ବ ନେଉଛନ୍ତି । ତେଣୁ ଏହି ଗସ୍ତରୁ ଓଡ଼ିଶା ଲାଭ ପାଇବ ବୋଲି ଆଶା କରାଯାଉଛି । ବିଦେଶରୁ ପୁଞ୍ଜି ଆଣିବାରେ ଦେଶରେ ୩ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ପୁଞ୍ଜିନିବେଶ ପାଇଁ ଏବେ ପ୍ରତିଯୋଗିତା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହା ଉପରେ ଗୁରୁତ୍ବ ଦେଉଛନ୍ତି। ସାରା ଦେଶରେ ପୁଞ୍ଜିନିବେଶ ଓଡ଼ିଶା ବଡ ସଫଳତା ପାଇଛି।ତେବେ ଏନେଇ ଆମେ ନୂଆ ଶିଳ୍ପ ନୀତି ଆଣିଛୁ ବୋଲି କହିଛନ୍ତି ଦେବୀପ୍ରସାଦ ମିଶ୍ର ।