୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଶିଳ୍ପ ବିକାଶରେ ମା ମାନେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା
ବାଲେଶ୍ୱର/ଭୂବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତରେ ଆସି ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାଲେଶ୍ବରର ସୋମନାଥପୁର ଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍ଘାଟିତ କରିଥିଲେ। ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିସନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ରାଶି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ଅଭିନବ ପଦକ୍ଷେପ ‘one ପଞ୍ଚାୟତ,one ପ୍ରଡକ୍ଟ’ର ପ୍ରସାର କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଞ୍ଚାଇବାରେ ସହଯୋଗ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରି ମିଶନ ଶକ୍ତି ମା ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଥିଲେ ଏବଂ ଏହି ଆନ୍ଦୋଳନକୁ ଏକ ନୂଆ ସୋପାନକୁ ନେବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ୬୦ ହଜାର ମା ମାନଙ୍କୁ ଏହି ସହାୟତା ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମା ମାନେ ଓଡିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ପ୍ରକଳ୍ପର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ବାଲେଶ୍ୱର ସବୁଠି ଆଗରେ। ମା’ ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ମା ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଲେଶ୍ବର ହେଉଛି ଏକ ଆଗୁଆ ଜିଲ୍ଲା । ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି – ସବୁ କ୍ଷେତ୍ରରେ ବାଲେଶ୍ବର ଆଗୁଆ। ଆଜିର କାର୍ଯ୍ୟକ୍ରମ ବିକାଶର ଏହି ଧାରାକୁ ଆହୁରି ଆଗକୁ ନେବ ।