ଗୁରୁଜଙ୍ଗର ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟ କୋଠାରେ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖୋର୍ଦ୍ଧା: ଲୋକାର୍ପଣ ହୋଇଛି କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର । ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗର ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟ କୋଠାରେ ଲୋକାର୍ପଣ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରକୁ ବୁଲି ଦେଖିବା ସହ ରୋଗୀମାନଙ୍କ ସହିତ କଥା ହୋଇଛନ୍ତି। ଉଦ୍ଘାଟନୀ ଅବସରରେ ବିଜୁ-ମହାବୀର ଜୟପୁର ଫୁଟ୍ ସେଣ୍ଟରର ପ୍ରତିଷ୍ଠାତା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡଃ. ଡି ଆର୍ ମେହେଟା ଯୋଗ ଦେଇଥିଲେ । ଏହି ସମାରୋହରେ ଶ୍ରବଣଯନ୍ତ୍ର, ତିନିଚକିଆ ସାଇକଲ ଆଦି ବଣ୍ଟନ କରାଯିବା ସହ ପ୍ରାୟ ୩୫ ମିନିଟିଆ ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ। ୧୯୪୧ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଦୁଇ ବର୍ଷ ପୂର୍ବେ ସ୍କୁଲ ମିଶ୍ରଣ କାର୍ୟ୍ୟକ୍ରମରେ ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ ସହ ସମିଶ୍ରଣ କରାଯାଇଥିଲା। ଏହାପରେ ପ୍ରାୟ ୮ ହଜାର ବର୍ଗଫୁଟ ଅଞ୍ଚଳର ଏହି ବିଦ୍ୟାଳୟ କୋଠାଟି ଅବ୍ୟବହୃତ ହୋଇ ପଡ଼ି ରହିଥିଲା। ୧ ବର୍ଷ ପୂର୍ବେ ଏଠାରେ ଜୟପୁର ଫୁଟ ନିର୍ମାଣ ପାଇଁ ପ୍ରସ୍ତାବ ରାଜ୍ୟ ସରକାର ଅନୁମୋଦନ କରିବା ସହ ଏହାର ନବୀକରଣ ଓ ମରାମତି ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।